ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): କେରଳରେ ପ୍ରବେଶ କଲା ମୌସୁମୀ ବାୟୁ, ବିଳମ୍ବରେ ଓଡ଼ିଶାକୁ ଆସିବାର ସମ୍ଭାବନା । ଏନେଇ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର । ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ଆଜି ମୌସୁମୀ ବାୟୁ କେରଳରେ ପ୍ରବେଶ କରିଛି। ଆସନ୍ତା ୨ ଦିନ ମଧ୍ୟରେ ବଙ୍ଗୋପସାଗର, ଆରବ ସାଗରରେ ଅଧିକ ଅଞ୍ଚଳର ଆହୁରି ବ୍ୟାପକ ଅଞ୍ଚଳକୁ ବ୍ୟାପିବା ପରେ ମୌସୁମୀ ବାୟୁ ସମଗ୍ର କେରଳ ଓ ତାମିଲନାଡୁ ସମେତ ସମ୍ପୂର୍ଣ୍ଣ ଦକ୍ଷିଣ ଭାରତରେ ବିସ୍ତାରିତ ହେବ। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଉତ୍ତରପୂର୍ବ ଭାରତରେ ମଧ୍ୟ ପ୍ରବେଶ କରିବ ଏବଂ ପରେ ପରେ କେନ୍ଦ୍ରୀୟ ଭାରତ ଆଡ଼କୁ ଅଗ୍ରସର ହେବ।ଓଡ଼ିଶାରେ ସାଧାରଣତଃ ୧୨ ତାରିଖ ପାଖାପାଖି ମୌସୁମୀ ବାୟୁ ପ୍ରବେଶ କରିଥାଏ।
ଏଥର ମୌସୁମୀ ବାୟୁର କେରଳ ଆଗମନରେ ପ୍ରାୟ ଏକ ସପ୍ତାହ ବିଳମ୍ବ ଘଟିଛି। ଏବେ ମୌସୁମୀ ଓଡ଼ିଶା ଆସିବା ବିଷୟରେ ପୂର୍ବାନୁମାନ କରାଯାଇନହିଁ। କିନ୍ତୁ, ଏଥର ବିଳମ୍ବରେ ଓଡ଼ିଶାକୁ ମୌସୁମୀ ବାୟୁ ଆସିବାର ସମ୍ଭାବନା ଅଛି ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଏବେ ମୌସୁମୀ ବାୟୁ ପ୍ରବାହଜନିତ ବର୍ଷା କିଭଳି ହେବ ତାହା କୁହାଯାଇ ପାରିବ ନାହିଁ। ମେ ମାସ ଶେଷରେ ଯେଉଁ ପୂର୍ବାନୁମାନ କରାଯାଇଥିଲା ଜୁନ୍ ମାସର ପାଣିପାଗ ସେପରି ରହିଛି। ଜୁଲାଇ ମାସରେ କିଭଳି ବର୍ଷା ହେବ ତାହା ଜୁନ୍ ମାସର ଶେଷ ଆଡ଼କୁ ହେବାକୁ ଥିବା ଆକଳନରୁ ଜଣାପଡ଼ିବ।