ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରଥଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଛି ରଥଖଳା । ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାମ । ମହାରଣା ସେବକମାନେ ଶନିବାର ବିନ୍ଧ ଅନୁକୂଳ ପରେ ତୁମ୍ବରେ ବିନ୍ଧ କାମ ଆରମ୍ଭ କରିଛନ୍ତି । ମହାରଣା ସେବକମାନେ ବିନ୍ଧ ଅନୁକୂଳ ପରେ ତୁମ୍ବରେ ବିନ୍ଧ କାମ ଆରମ୍ଭ କରିଛନ୍ତି । ସେପଟେ ବାକି ତୁମ୍ବର ବୋଳା ଓ ସୂତା ବାଡ଼ିଆ କାମ ଜାରି ରହିଛି। ଆଜି ପ୍ରଥମେ ତାଳଧ୍ୱଜ ରଥରେ ତୁମ୍ବରେ ବିନ୍ଧ ଅନୁକୂଳ ହୋଇଛି । ବିନ୍ଧ ପରେ ଅର ସଂଯୋଗ ହେବ । ତିନି ରଥର ମୋଟ ୪୨ ଗୋଟି ତୁମ୍ବର ଗୋଲେଇ କାର୍ଯ୍ୟ ସମ୍ପୂର୍ଣ ହୋଇଛି । ଏତତ୍ ବ୍ୟତୀତ ତିନି ରଥର ମହାରଣାମାନେ ପାହି ମହାରଣାଙ୍କ ସହଯୋଗରେ ତୁମ୍ବ ଗୁଡିକରେ ସୂତା ବାଡ଼ିଆ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ସେହିପରି କରତି ସେବକ ମାନେ ତିନି ରଥ ମହାରଣା ମାନଙ୍କୁ ଦୁଇଟି ଲେଖାଁଏ ତୁମ୍ବର ଘେର କାଟି ଯୋଗାଇ ଦେଇଛନ୍ତି । ନନ୍ଦିଘୋଷ ରଥର ୧୬ ଗୋଟି ଗୋଲେଇ ତୁମ୍ବ ମଧ୍ୟରୁ ୧୩ ଗୋଟି ତୁମ୍ବରେ ସୁତା ବାଡ଼ିଆ କାର୍ଯ୍ୟ ଶେଷ ହୋଇଥିଲା ବେଳେ, ତାଳଧ୍ୱଜ ରଥ ଏବଂ ଦେବୀ ରଥର ଗୋଲେଇ ତୁମ୍ବ ଗୁଡିକରୁ ୧୦ ଟି ଲେଖାଁଏ ତୁମ୍ବରେ ସୁତା ବାଡ଼ିଆ କାର୍ଯ୍ୟ ଶେଷ ହୋଇଛି ।
ଏତଦ ବ୍ୟତୀତ ତିନି ରଥର ସୁତାବାଡ଼ିଆ ସରିଥିବା ତୁମ୍ବ ଗୁଡିକର ବଳକା ଅଂଶର ଠେକ ତୁଲିଆ କାର୍ଯ୍ୟ ଜାରି ରହିଛି। ଦୋଳବେଦୀରେ ଥିବା ଅସ୍ଥାୟୀ କମାର ଶାଳରେ କମାର ସେବକ ମାନେ ଲୁହା ରଡ଼ କାଟି ୬/୭ ଇଞ୍ଚ ସାଇଜର ଅର କଣ୍ଟା ପ୍ରସ୍ତୁତ କରୁଛନ୍ତି। ପ୍ରତି ରଥ ଚକ ପାଇଁ ୩୨ ଗୋଟି ଅରକଣ୍ଟା ଆବଶ୍ୟକ ହୋଇଥାଏ। ରଥକାମ ଆଗେଇନେବାକୁ ରଥଖଳାରେ ୧୧୧ଜଣ ସେବକ ରଥଖଳାରେ ନିୟୋଜିତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ମହାରଣା ସେବକ ୫୮ଜଣ, ଭୋଇ ସେବକ ୩୪ଜଣ, କରତି ସେବକ ୪ଜଣ, ପାହି ମହାରଣା ୨ଜଣ, ଓଝା ସେବକ ୨ଜଣ ନିୟୋଜିତ ହୋଇଛନ୍ତି।