ହୋଟେଲ୍‌ ପାଇଁ ଗଡ଼ିଲା ମୁଣ୍ଡ

0

ଓଡ଼ିଆ ନ୍ୟୁଜ୍: ହୋଟେଲ୍‌ ପାଇଁ ଗଡ଼ିଲା ମୁଣ୍ଡ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯାଜପୁରଜିଲ୍ଲା ବିଂଝାରପୁର ଥାନା ବାଳମୁକୁଳି ହାଟରେ ଆକ୍ରମଣର ଶୀକାର ହୋଇଥିବା ହୋଟେଲ ମାଲିକ ଅକ୍ଷୟ ଦାସଙ୍କର ଚିକିତ୍ସାଧୀନ ଅବସ୍ଥାରେ ଗତକାଲି (ରବିବାର) ମୃତ୍ୟୁ  ଘଟିଛି। ଆଜି (ସୋମବାର) ମୃତଦେହ ଗାଁରେ ପହଞ୍ଚିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ୟକ୍ତ ଲୋକ ମୃତଦେହକୁ ଦିନ ଗୋଟାକରୁ ବାଳମୁକୁଳି ସ୍ଥିତ ରାସ୍ତାରେ ରଖି ବିଂଝାରପୁର-ସିଂହପୁର ମୁଖ୍ୟ ରାସ୍ତା ଅବରୋଧ କରିଥିଲେ।

ସୂଚନା ମୁତାବକ, ଆଇଆଇସି ବିଲ୍ଵମଙ୍ଗଳ ସେଠୀ, ଏସଡିପିଓ ପ୍ରଶାନ୍ତ କୁମାର ମାଝୀ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ବିଫଳ ହୋଇଛନ୍ତି। ଉତ୍ୟକ୍ତ ଲୋକ ନିଜ ଜିଦ୍‌ରେ ଅଟଳ ରହିଥିଲେ। ଫଳରେ, ଏହି ରାସ୍ତାଦେଇ ଗାଡି ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଥିଲା। ପରେ ତହସିଲଦାର ପ୍ରମୋଦ ବାସ୍କେ ପହଞ୍ଚି ଦୀର୍ଘ ସମୟ ବୁଝାସୁଝା କରିଥିଲେ, ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାର ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ରାସ୍ତା ଅବରୋଧ ହଟିଥିଲା। ଲୋକଙ୍କ ଅଭିଯୋଗ, ମୁଖ୍ୟ ଅଭିଯୁକ୍ତ ସତ୍ୟଜିତ ସାହୁ ଜେଲରେ ରହିଛି କିନ୍ତୁ ଅନ୍ୟ ଜଣେ ଅଭିଯୁକ୍ତ ଟିକିନି ସାହୁ ଏବେବି ଖୋଲାଖୋଲି ବୁଲୁଛି। ଯେ ପର୍ଯ୍ୟନ୍ତ ଟିକିନି ଗିରଫ ନହୋଇଛି ସେମାନେ ଆନ୍ଦୋଳନରୁ ହଟିବେ ନାହିଁ। ଅନ୍ୟପଟେ ଟିକିନି ଜାମିନରେ ଥିବା ପୁଲିସ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.