ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ମୋ ବସ୍ ସେବା ପୂରା ଠପ୍ । ଠିକା କମ୍ପାନୀର ମନମୁଖୀ କାମକୁ ପ୍ରତିବାଦ କରି ମୋ ବସ୍ କର୍ମଚାରୀ ଆନ୍ଦୋଳନ କରିଛନ୍ତି । ଏଥିପାଇଁ ଆଜି ସମ୍ବଲପୁରରେ ଗଡୁନି ମୋ ବସ୍ । ବସ୍ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ମୋ ବସ୍ ଗାଡି ଚଳାଚଳ ବ୍ୟାହତ ହୋଇଛି ।
ସୂଚନା ଅନୁଯାୟୀ, ଠିକା କଂପାନିର ଅଧିକାରୀ ଅଯଥା ବସ୍ କଣ୍ଡକ୍ଟର ଓ ଚାଳକଙ୍କ ଦରମାରୁ ଟଙ୍କା କାଟି ଦେଉଛନ୍ତି। ଏହାକୁ ନେଇ ଅଭିଯୋଗ କଲେ ବି କୌଣସି ସୁଫଳ ମିଳୁ ନଥିବା ମୋ ବସ୍ କର୍ମଚାରୀମାନେ କହିଛନ୍ତି। ଏଣୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ତେବେ ମୋ ବସ୍ ରେ ପ୍ରବଳ ଭିଡ ହେଉଥିବାରୁ ଟିକେଟ୍ କାଟିବାକୁ ଅସୁବିଧା ହେବା ସହ ଅନେକ ସମୟରେ ସେମାନଙ୍କ ଦରମା କାଟ୍ ହେଉଥିବା ଅଭିଯୋଗ ହୋଇଛି ।
ପ୍ରତିଦିନ ଶହ ଶହ ଲୋକ ନିଜ ନିଜର ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିବାକୁ ମୋ ବସ୍ ଉପରେ ନିର୍ଭର କରନ୍ତି। ଆଜି ସହରରେ ମୋ ବସ୍ ସେବା ବନ୍ଦ ଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ସେପଟେ ଯଥାଶୀଘ୍ର ଏସବୁ ସମସ୍ୟାର ସାମଧାନ ନହେଲେ , ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବା ନେଇ ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ।