ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଦିଲ୍ଲୀରେ ପୂର୍ବରୁ ଯେତିକି ବାୟୁ ପ୍ରଦୂଷଣ ଥିଲା, ଦୀପାବଳି ପାଳନ ପରେ ତାହା ଯଥେଷ୍ଟ ଅଧିକ ବଢ଼ିଯାଇଛି। ଏକ ସର୍ବେକ୍ଷେଣରୁ ଜଣାପଡ଼ିଛି ଯେ ବାୟୁ ଗୁଣବତ୍ତା ଖରାପ ହେବାପରେ ଦିଲ୍ଲୀ-ଏନସିଆରର ଅବସ୍ଥା ପୂରାପୂରି ବିଗିଡ଼ି ଯାଇଛି। ଏହି ବାୟୁ ପ୍ରଦୂଷଣ ହେତୁ ଦିଲ୍ଲୀର ପ୍ରାୟ ୬୯ ପ୍ରତିଶତ ପରିବାର ଗଳା ଯନ୍ତ୍ରଣା, କାଶ ସମେତ ବିଭିନ୍ନ ପ୍ରଦୂଷଣ ଜନିତ ରୋଗରେ ପୀଡିତ ଅଛନ୍ତି।
ନିକଟରେ ହୋଇଥିବା ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ ବାୟୁ ଗୁଣବତ୍ତା ଦିନକୁ ଦିନ ଅଧିକ ଖରାପ ହେଉଥିବାରୁ ଏଥିରେ ପ୍ରତି ୧୦ ପରିବାରରୁ ପ୍ରାୟ ୭ ପରିବାର ପ୍ରଭାବିତ। ଦିଲ୍ଲୀ-ଏନସିଆର ଅଞ୍ଚଳରେ ୬୯ ପ୍ରତିଶତ ପରିବାର ଗଳା ଯନ୍ତ୍ରଣା ଏବଂ କାଶ ଭଳି ପ୍ରଦୂଷଣ ଜନିତ ରୋଗରେ ପୀଡିତ ଅଛନ୍ତି। ଗୁରୁବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଦିଲ୍ଲୀବାସୀ ପ୍ରବଳ ବାଣ ଫୁଟାଇଥିବା ଜଣାପଡିଛି। ଏଥିଯୋଗୁଁ ଦିଲ୍ଲୀ ଆକାଶ ଧୂଆଁରେ ଆଚ୍ଛାଦିତ ହୋଇପଡିଥିବାବେଳେ ଶବ୍ଦ ପ୍ରଦୂଷଣ ମାତ୍ରା ଯଥେଷ୍ଟ ବୃଦ୍ଧି ପାଇଥିବା କୁହାଯାଇଛି। ଅନୁସନ୍ଧାନରୁ ଆହୁରି ବି ଜଣାପଡିଛି ଯେ ୬୨% ପରିବାରରେ ବାୟୁ ପ୍ରଦୂଷଣ ବୃଦ୍ଧି ହେତୁ ଜଣେ କିମ୍ବା ଅଧିକ ସଦସ୍ୟ ଆଖି ଜଳିବା ପରି ସମସ୍ୟା ଅନୁଭବ କରୁଥିବାବେଳେ ୪୬% ଲୋକ ନାକ ପୋଡ଼ା ଅନୁଭବ କରିଛନ୍ତି।
ସର୍ବେକ୍ଷଣରେ ଅଂଶ ଗ୍ରହଣ କରିଥିବା ୩୧ ପ୍ରତିଶତ ଉତ୍ତରଦାତା ଶ୍ୱାସକ୍ରିୟାରେ ଅସୁବିଧା ଅନୁଭବ କରୁଥିବା ବେଳେ ୩୧ ପ୍ରତିଶତଙ୍କ ମୁଣ୍ଡବିନ୍ଧା ସମସ୍ୟା ଦେଖାଦେଇଛି। ପ୍ରାୟ ୨୩ ପ୍ରତିଶତ ବିବ୍ରତ ଅନୁଭବ କରିଥିବା ବେଳେ ୧୫ ପ୍ରତିଶତ ବ୍ୟକ୍ତି ଶୋଇବାରେ ଅସୁବିଧା ଅନୁଭବ କରୁଥିବା କହିଛନ୍ତି। ସେହିପରି ୩୧ ପ୍ରତିଶତ ବ୍ୟକ୍ତି କୌଣସି ଅସୁବିଧା ଅନୁଭବ କରିନଥିବା କହିଛନ୍ତି।