ଆଜି ଠାରୁ ବନ୍ଦ ଜାତୀୟ ଉଦ୍ୟାନ ଭିତରକନିକା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ଠାରୁ ବନ୍ଦ ହେଲା ବିଶ୍ୱ ପ୍ରସିଦ୍ଧ ଜାତୀୟ ଉଦ୍ୟାନ ଭିତରକନିକା ।  ଭିତରକନିକା ଜାତୀୟ ଉଦ୍ୟାନ ମେ’ ପହିଲାରୁ ବନ୍ଦ ହେବ। କୁମ୍ଭୀର ପ୍ରଜନନ ଋତୁ ଆରମ୍ଭ ହୋଇଛି। ନଦୀ ନାଳରେ ଥିବା କୁମ୍ଭୀର ବସାବାନ୍ଧି ଅଣ୍ଡା ଦେବେ। ସେମାନଙ୍କ ମିଳନପର୍ବ ଓ ଅଣ୍ଡାଦେବା ପ୍ରକ୍ରିୟାରେ ବାଧା ନ ଉପୁଜିବା ପାଇଁ ରାଜନଗର ବନଖଣ୍ଡ ପକ୍ଷରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଏହାକୁ ବନ୍ଦ ରଖାଯିବାକୁ ନିର୍ଦ୍ଦେଶ ଜାରି ହୋଇଛି।

ବଉଳା କୁମ୍ଭୀରମାନଙ୍କ ପ୍ରଜନନ ଋତୁ ଆରମ୍ଭ ହେବାକୁ ଥିବାରୁ ଏହାକୁ ଦୃଷ୍ଟିରେ ରଖି ବନବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ୩ମାସ ପର୍ଯ୍ୟନ୍ତ କୌଣସି ପର୍ଯ୍ୟଟକ ଜାତୀୟ ଉଦ୍ୟାନ ଭିତରକନିକାକୁ ପ୍ରବେଶ କରିପାରିବେ ନାହିଁ ବୋଲି ସୂଚନା ଦିଆଯାଇଛି । ଏହି ୩ ମାସ ଭିତରକନିକା ଭିତରେ ବୋଟ ଚଳାଚଳ ମଧ୍ୟ କରିବ ନାହିଁ କାରଣ ବୋଟ ଚଳାଚଳ କରିବା ଦ୍ବାରା କୁମ୍ଭୀରମାନଙ୍କ ମିଳନ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଥାଏ ବୋଲି ବୁଦ୍ଧିଜୀବୀ ମାନେ ମତ ରଖିଛନ୍ତି ।

କୁମ୍ଭୀରମାନଙ୍କ ମିଳନ ପ୍ରକ୍ରିୟା ପରେ ମା’ କୁମ୍ଭୀରମାନେ ଅଣ୍ଡା ଦେଇଥାନ୍ତି । ଅଣ୍ଡାଦାନ କରିବା ପରେ ଛୁଆ ଫୁଟିବା ଯାଏ ଅଣ୍ଡା ଦେଇଥିବା ବସାକୁ ଜଗି ରହିଥାନ୍ତି ମା’କୁମ୍ଭୀରମାନେ।ଅଣ୍ଡାଦାନ ପରେ ମା’କୁମ୍ଭୀରମାନେ ଅଧିକ ହିଂସ୍ର ହେବା ସହ ଆକ୍ରମଣ କରିବାର ସମ୍ଭାବନା ଅଧିକ ଥାଏ । ପର୍ଯ୍ୟଟକମାନଙ୍କ ସୁରକ୍ଷା ଓ କୁମ୍ଭୀର ସଂଖ୍ୟା ବୃଦ୍ଧି ଦୃଷ୍ଟିରୁ ଏହି ତିନିମାସ ଭିତରକନିକା ବନ୍ଦ ରହିଥାଏ । ଅନ୍ୟପଟେ ଭିତରକନିକା ସଂଲଗ୍ନ ନଦୀକୂଳିଆ ଗ୍ରାମବାସୀ ମାନେ ସତର୍କତାର ସହ ନଦୀରେ ଚଳପ୍ରଚଳ ହେବା ପାଇଁ ରାଜନଗର ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.