ଓଡ଼ିଆ ନ୍ୟୁଜ୍: ଦେଶବ୍ୟାପୀ ଆଜି ଅନୁଷ୍ଠିତ ହେଉଛି NEET ୟୁଜି ୨୦୨୬ ପ୍ରବେଶିକା ପରୀକ୍ଷା। ଅପରାହ୍ଣ ୨ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ୨୦ ପର୍ଯ୍ୟନ୍ତ ଚାଲିବ ଏହି ପରୀକ୍ଷା। ଦେଶର ୫୫୨ଟି ସହର ସମେତ ବିଦେଶର ୧୪ଟି କେନ୍ଦ୍ରରେ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି।ସୁରୁଖୁରୁରେ ପରୀକ୍ଷା ପରିଚାଳନା ପାଇଁ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି।
ଏହି ପ୍ରବେଶିକା ପରୀକ୍ଷା ଅଫଲାଇନ୍ ବା ପେନ୍-ଆଣ୍ଡ-ପେପର ମୋଡ୍ ରେ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଗୋଟିଏ ସିଫ୍ଟରେ ପରିଚାଳିତ ହେଉଛି । ଚଳିତ ବର୍ଷ ପରୀକ୍ଷାର ସିଲାବସରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଏହା ସମ୍ପୂର୍ଣ୍ଣ ଭାବେ NCERT ପାଠ୍ୟକ୍ରମ ଉପରେ ଆଧାରିତ ଅଟେ । ପରୀକ୍ଷାର୍ଥୀମାନେ ନିଜର ଆଡମିଟ୍ କାର୍ଡ ସହ ବୈଧ ପରିଚୟ ପତ୍ର ନେଇ ପରୀକ୍ଷା କେନ୍ଦ୍ରରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ପରୀକ୍ଷା ମୋଟ ୭୨୦ ମାର୍କର ହୋଇଥିବା ବେଳେ ପ୍ରତି ଭୁଲ୍ ଉତ୍ତର ପାଇଁ ୧ ନମ୍ବର କଟାଯିବାର ବ୍ୟବସ୍ଥା ରହିଛି । ଭାରତର ବିଭିନ୍ନ ମେଡିକାଲ୍ କଲେଜରେ MBBS ଏବଂ BDS ଭଳି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଏହା ଏକ ପ୍ରମୁଖ ପ୍ରବେଶିକା ପରୀକ୍ଷା ।