ଓଡ଼ିଆ ନ୍ୟୁଜ୍: ଆଜି ଆତ୍ମସମର୍ପଣ କଲେ ଆଉ ୯ ମାଓବାଦୀ। ସରକାରଙ୍କ ମାଓ ଦମନ ଅଭିଯାନ ଆରମ୍ଭ ହେବାପରେ ମାଓ ସଂଗଠନ ଧୀରେଧୀରେ ଦୁର୍ବଳ ହେବାରେ ଲାଗିଛି। ଯାହାଫଳରେ ନିଜ ଜୀବନ ବଞ୍ଚାଇବାକୁ ଯାଇ ମୁଖ୍ୟସ୍ରୋତରେ ସାମିଲ ହେବାରେ ଲାଗିଛନ୍ତି ଅଧିକାଂଶ ମାଓବାଦୀ। ଏନେଇ ଆଜି ପୁଣି ୯ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଛତିଶଗଡର ନାରାୟଣପୁର ପୋଲିସ ନିକଟରେ ଶୁକ୍ରବାର ୯ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ହେଲେ, ରମେଶ ବଡଦା, ସନ୍ତୁ ବଡଦା, ମାସା ବଡଦା, ପୁନଉରାମ ବଡଦା, ଅଜୟ ଧ୍ରୁବ, ସୁଦିଲ କୁମେଟି, ଆୟତୁ ଉସେଣ୍ଡି, କରଵେ ବଡଦା ଏବଂ ଅନିଲ ବଡ଼ଦା।
ଏହି ଆତ୍ମସମର୍ପଣ କରିଥିବା ମାଓବାଦୀମାନେ କୁତୁର ଅଞ୍ଚଳରେ ସକ୍ରିୟ ଥିଲେ। ବହୁ ନକ୍ସଲ ହିଂସାରେ ଏମାନେ ସାମିଲ ଥିବା ପୋଲିସ କହିଛି। ପୋଲିସ ତରଫରୁ ସମସ୍ତ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହଯୋଗ କରିବା ସହ ସସମ୍ତଙ୍କୁ ଆତ୍ମନିର୍ଭରଶୀଳ କରାଯିବ ବୋଲି ଏସପି ପ୍ରଭାତ କୁମାର କହିଛନ୍ତି। ତେବେ ୨୦୨୪ ମସିହା ଠାରୁ ବର୍ତ୍ତମାନ ସୁଦ୍ଧା ନାରାୟଣପୁର ଜିଲ୍ଲାରେ ୪୦ରୁ ଅଧିକ କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରିଥିବା ବେଳେ ୬୦ରୁ ଅଧିକ ମାଓବାଦୀଙ୍କୁ ସଫା କରାଯାଇଛି।