ଓଡ଼ିଆ ନ୍ୟୁଜ୍: ଆଗୁଆ ପ୍ରସବ ଲାଗି ଆମେରିକା ଡାକ୍ତରଖାନାରେ ଭିଡ ଲଗାଇଲେ ଭାରତୀୟ ଦମ୍ପତି। ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଜନ୍ମଗତ ଅଧିକାର ଶେଷ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଟ୍ରମ୍ପ ଏହି ଆଦେଶ ପାଳନ ଲାଗି ୩୦ଦିନ ସମୟ ଦେଇଛନ୍ତି। ଫେବୃଆରୀ ୧୯ରେ ଏହି ସମୟସୀମା ଶେଷ ହେଉଛି। ତେଣୁ ଏହା ପୂର୍ବରୁ ଆମେରିକାରେ ରହୁଥିବା ପ୍ରବାସୀ ତଥା ଶରଣାର୍ଥୀ ମହିଳାମାନେ ପ୍ରସବ ଲାଗି ଚାହୁଁଛନ୍ତି। ସମୟ ପୂର୍ବରୁ ସି-ସେକ୍ସନ ବା ସର୍ଜରୀ କରାଇ ଗର୍ଭବତୀ ମହିଳାମାନେ ସେମାନଙ୍କ ପ୍ରସବ କରାଇବାକୁ ଆଗୁଆ ଡାକ୍ତରଖାନାଗୁଡିକରେ ବୁକିଂ କରୁଥିବା ରିପୋର୍ଟ ପ୍ରକାଶ ପାଇଛି। ସେମାନଙ୍କ ଭିତରେ ଅନେକ ଭାରତୀୟ ଅଛନ୍ତି, ଯେଉଁମାନେ ଆଠ/ନଅ ମାସର ଗର୍ଭବତୀ ଅଛନ୍ତି।
ନ୍ୟୁଜର୍ସିର ଜଣେ ଡାକ୍ତର ଏସଡି ରାମା କହିଛନ୍ତି ଯେ, ତାଙ୍କ ପାଖକୁ ସମୟ ପୂର୍ବରୁ ପ୍ରସବ ପାଇଁ ବୁକିଂ ଲାଗି କଲ୍ ଆସୁଛି। ଆହୁରି ମଧ୍ୟ ସେ କହିଛନ୍ତି ଯେ, ଜଣେ ମହିଳା ଯିଏ ସାତ ମାସର ଗର୍ଭବତୀ ଅଛନ୍ତି ସେ ଶୀଘ୍ର ପ୍ରସବ ପାଇଁ ତାଙ୍କ ସ୍ବାମୀ ସହ ଆସିଥିଲେ। ପ୍ରକୃତରେ ତାଙ୍କର ପ୍ରସବ ସମୟ ହେଲା ମାର୍ଚ୍ଚ ମାସ। ଟେକ୍ସାସର ଜଣେ ସ୍ତ୍ରୀ ବିଶେଷଜ୍ଞ କହିଛନ୍ତି ଯେ, ସମୟ ପୂର୍ବରୁ ପ୍ରସବ ଦ୍ବାରା ଉଭୟ ପିଲା ଓ ମା’ର ସ୍ବାସ୍ଥ୍ୟ ପ୍ରତି ବିପଦ ରହିଛି। ଅପରିପକ୍ବ ଶିଶୁ ଜନ୍ମ ହେବାର ଆଶଙ୍କା ରହିଛି। ମାର୍ଚ୍ଚରେ ପ୍ରସବ କରିବାକୁ ଥିବା ଭାରତୀୟ ମୂଳର ପ୍ରିୟା ଏକ ଗଣମାଧ୍ୟମକୁ କହିଛନ୍ତି, ଆମର ପିଲା ଏଠାରେ ଜନ୍ମ ହେଲେ ସ୍ଥାୟୀ ଠିକଣା ଏଠାରେ ମିଳିଥାନ୍ତା । ଆମେ ଗତ ଛଅବର୍ଷ ଧରି ଗ୍ରୀନ କାର୍ଡକୁ ଅପେକ୍ଷା କରିଛୁ। କାରଣ ଆମର ଷ୍ଚେବିଲିଟି ସୁନିଶ୍ଚିତ କରିବାର ଏହା ହେଉଛି ଏକମାତ୍ର ଉପାୟ।