ରାଜ୍ୟରେ ଜଣେ ବି ଯୋଗ୍ୟ ହିତାଧିକାରୀ ରାସନ ପାଇବାରୁ ବଞ୍ଚିତ ହୋଇ ନାହାନ୍ତି: ହାଇକୋର୍ଟରେ ସତ୍ୟପାଠ ଦାଖଲ କଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସଚିବ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରେସନ କାର୍ଡରେ ଆଧାର ସଂଯୋଗ ହୋଇ ନଥିବା କାରଣରୁ ରାଜ୍ୟରେ ଜଣେ ବି ଯୋଗ୍ୟ ହିତାଧିକାରୀ ଖାଦ୍ୟ ସୁରକ୍ଷା ସୁବିଧାରୁ ବଞ୍ଚିତ ହୋଇ ନାହାନ୍ତି। ହାଇକୋର୍ଟରେ ଏଭଳି ତଥ୍ୟ ଉପସ୍ଥାପିତ କରିଛନ୍ତି ରାଜ୍ୟ ସରକାର। ରାଜ୍ୟର ୩୧୪ ଟି ବ୍ଲକ ଓ ୬୪ ଟି ସହରାଞ୍ଚଳରେ ୩୭୮ ଟି ରାସନ କାର୍ଡ ମ୍ୟାନେଜମେଣ୍ଟ ସେଣ୍ଟର କାର୍ଯ୍ୟ କରୁଛି। ଏହି ସେଣ୍ଟରରେ ହିତାଧିକାରୀମାନେ ନୂଆ କାର୍ଡ ପାଇଁ ଆବେଦନ କରୁଥିବା ବେଳେ ପୁରୁଣା ହିତାଧିକାରୀ ନିଜର କାର୍ଡ ଅପଡ଼େଟ କରି ପାରୁଛନ୍ତି।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସଚିବ ହାଇକୋର୍ଟରେ ଦେଇଥିବା ସତ୍ୟପାଠରେ ଏହା ଉଲ୍ଲେଖ କରିଛନ୍ତି। ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ପ୍ରସଙ୍ଗକୁ ନେଇ ଦାୟର ମାମଲାରେ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ୍ ଆର କେ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରିଛନ୍ତି। ତେବେ ହିତାଧିକାରୀ ବୃଦ୍ଧି ପାଇଁ କଣ ପଦକ୍ଷେପ ନେଇଛ; ସେ ନେଇ ଅଦାଲତ ସାମ୍ନାରେ ‘ପାୱାର ପଏଣ୍ଟ’ ମାଧ୍ୟମରେ ତଥ୍ୟ ଉପସ୍ଥାପନା କରିବା ପାଇଁ ଖାଦ୍ଯ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ମାମଲାର ପରବର୍ତୀ ଶୁଣାଣି ମେ ୧୯ରେ ହେବା ପାଇଁ ଅଦାଲତ ଧାର୍ଯ୍ୟ କରାଯାଇଛି। ହାଇକୋର୍ଟରେ ଦାୟର ଜନସ୍ବାର୍ଥ ମାମଲାରେ ଦର୍ଶାଯାଇଛି ଯେ କରୋନା ଭୂତାଣୁ ସଂକ୍ରମଣକୁ ନେଇ ସୃଷ୍ଟି ହୋଇଥିବାପରିସ୍ଥିତିରେ ଖାଦ୍ୟ ସୁରକ୍ଷା ଆଇନରେ ସାମିଲ ହୋଇ ରାସନ କାର୍ଡ ପାଇଥିବା ପରିବାର ଗୁଡିକୁ ସରକାର ମାଗଣାରେ ଖାଦ୍ୟଶସ୍ୟ ପ୍ରଦାନ କରୁଛନ୍ତି। କିନ୍ତୁ ରାଜ୍ୟରେ ଏପରି ବହୁ ପରିବାର ରହିଛନ୍ତି ଯେଉଁ ମାନଙ୍କ ଆର୍ଥିକ ଅବସ୍ଥା ଭଲ ନଥିଲେ ମଧ୍ୟ ସେମାନେ ରାସନ କାର୍ଡ ପାଇ ପାରି ନାହାନ୍ତି। ଖାଉଟି ବ୍ୟାପାର ମନ୍ତ୍ରଣାଳୟ ୱେବସାଇଟରେ ଥିବା ତଥ୍ୟ ଅନୁସାରେ ଗତବର୍ଷ ଏପ୍ରିଲରୁ ଜୁନ୍ ମଧ୍ୟରେ ରାଜ୍ୟ ସରକାର ଫୁଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆରୁ ୪୮୫୩୯୪ ମେଟ୍ରିକ୍ ଟନ୍ ଖାଦ୍ୟଶସ୍ୟ ଉଠାଇଥିବା ବେଳେ ୪୨୦୧୬୫ ମେଟ୍ରିକ୍ ଟନ୍ ବଣ୍ଟନ କରାଯାଇଛି।

ଏବେ ରାଜ୍ୟ ସରକାର ଉଠାଇଥବା ଖାଦ୍ୟଶସ୍ୟରୁ ୬୫୦୦୦ ମେଟ୍ରିକ୍ ଟନ୍ ମହଜୁଦ ରହିଛି। ତେଣୁ ରାସନ କାର୍ଡ ନଥିବା ପରିବାର ଗୁଡିକୁ ଖାଦ୍ୟଶସ୍ୟ ଦେବାରେ କିଛି ଅସୁବିଧା ନାହିଁ। ୩୩ ଲକ୍ଷ ଲୋକ ରାସନ କାର୍ଡ ସହିତ ଆଧାର କାର୍ଡ ସଂଯୋଗ କରି ନ ପାରି ପିଡିଏସ୍ ଯୋଜନାର ହିତାଧିକାରୀ ତାଲିକାରୁ ବାଦ ପଡିଛନ୍ତି। ଲକ୍ ଡାଉନ, ସଟ୍ ଡାଉନ ଓ ବିଭିନ୍ନ କଟକଣା ସମୟରେ ବହୁ ଜିଲ୍ଲାରେ ଶିଶୁ, ଗର୍ଭବତୀ ମହିଳା ଉପଯୁକ୍ତ ପୁଷ୍ଟିକର ଖାଦ୍ୟ ପାଇ ପାରୁ ନାହାନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଈଶ୍ଵର ମହାନ୍ତି ମାମଲା ପରିଚାଳନା କରୁଛନ୍ତି।

Leave A Reply

Your email address will not be published.