ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କାର୍ତ୍ତିକ ମାସରେ ପୁରୀରେ ଲାଗିଛି ହବିଷ୍ୟାଳିଙ୍କ ଭିଡ। ଶ୍ରୀକ୍ଷେତ୍ରରେ ହବିଷ କରିବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ଅନେକ ହବିଷ୍ୟାଳି ଆସିଛନ୍ତି। ମାତ୍ର ଅନେକ ହବିଷ୍ୟାଳି ପଞ୍ଜିକରଣ କରିନଥିବାରୁ ସେମାନଙ୍କୁ ରହିବା ପାଇଁ ସ୍ଥାନ ମିଳିନି । ଯାହାକୁ ନେଇ ପୁରୀ ବୃନ୍ଦାବତୀ ନିବାସରେ ଆନ୍ଦୋଳନ କରିଛନ୍ତି ହବିଷ୍ୟାଳି | ଏପରି କିଛି ଦୃଶ୍ୟ ଆଜି ସକାଳେ ପୁରୀ ବୃନ୍ଦାବନ ଆଶ୍ରମ ସମ୍ମୁଖରେ ଦେଖିବାକୁ ମିଳିଛି। ପଞ୍ଜୀକୃତ ହୋଇ ପାରି ନ ଥିବା ହବିଷ୍ୟାଳୀ ରହିବାକୁ ଆଶ୍ରୟ ପାଉ ନଥିବା ବେଳେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।
କାର୍ତ୍ତିକ ବ୍ରତ ପାଳନ ପାଇଁ ଶ୍ରୀମନ୍ଦିରରେ ଜମିଲାଣି ଭକ୍ତଙ୍କ ଭିଡ଼ । ଆଜି ପୂର୍ଣ୍ଣିମା ଥିବାରୁ ଆସନ୍ତା କାଲିଠୁ କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳୀ। ଏଥିପାଇଁ ଚଳଞ୍ଚଳ ଶ୍ରୀକ୍ଷେତ୍ର। ଧର୍ମ ମାସରେ ପୁଣ୍ୟ ଅର୍ଜନ କରିବାକୁ ପୁରୀରେ ଲାଗିଛି ହବିଷ୍ୟାଳୀଙ୍କ ଭିଡ। ଭିଡ ନିୟନ୍ତ୍ରଣ ଲାଗି ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଆସନ୍ତା ୧୮ତାରିଖରୁ କେବଳ ସିଂହଦ୍ବାର ଏବଂ ପଶ୍ଚିମ ଦ୍ବାର ଦେଇ ଭକ୍ତମାନେ ଶ୍ରୀମନ୍ଦିରରେ ପ୍ରବେଶ କରିପାରିବେ।
ଏହାରି ମଧ୍ୟରେ ଆଜି ହବିଷ୍ୟାଳି କେନ୍ଦ୍ରରେ ହବିଷ୍ୟାଳିମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ବୃନ୍ଦାବତୀ ନିବାସରେ ହବିଷ୍ୟାଳିମାନେ ଆନ୍ଦୋଳନ କରିଛନ୍ତି। ପଞ୍ଜୀକରଣ କରିନଥିବା ହବିଷ୍ୟାଳିମାନେ ରହିଣୀ ଦାବି କରି ଅସନ୍ତୋଷ ପ୍ରକାଶ କରିଛନ୍ତି। ପରେ ଖବର ପାଇ ଅତିରିକ୍ତ ଜିଲ୍ଲାପାଳ ଏବଂ ଉପ ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଛନ୍ତି। ଏବଂ ପ୍ରଥମେ ପଞ୍ଜିକୃତ ହବିଷ୍ୟାଳି ଏବଂ ପରେ ସ୍ଥାନ ଫାଙ୍କା ରହିଲେ ଅଣପଞ୍ଜିକୃତ ହବିଷ୍ୟାଳିଙ୍କୁ ଦିଆଯିବ ବୋଲି ଉପଜିଲ୍ଲାପାଳ ମତ ରଖିଛନ୍ତି।