ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି  ବିଧାନସଭାର ଛଅ ଦିନିଆ ଅଧିବେଶନ, କାଲି ସବର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

0

ଓଡିଆ ନ୍ୟୁଜ୍(ବ୍ୟୁରୋ) ଚଳିତ ମାସ ୨୫ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଷୋଡ଼ଶ ବିଧାନସଭାର ଛଅ ଦିନିଆ ଅଧିବେଶନ କିପରି ସୁଚାରୁ ରୂପେ ସବୁଦଳର ନେତୃବୃନ୍ଦଙ୍କ ସହଯୋଗ ଓ ସହଭାଗିତାରେ ସଂପାଦିତ ହେବ ସେ ସଂପର୍କରେ ବିଶଦ ଆଲୋଚନା ପାଇଁ ବିଧାନସଭାର ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଏକ ସର୍ବଦଳୀୟ ବୈଠକ ନିମନ୍ତେ ଆହ୍ୱାନ ଦେଇଛନ୍ତି । ଏହି ବୈଠକ ଆସନ୍ତାକାଲି ଦିନ ୧୧.୩୦ ସମୟରେ ବିଧାନସଭା ସଚିବାଳୟର ୫୯ ନମ୍ବର ପ୍ରକୋଷ୍ଠରେ ଅନୁଷ୍ଠିତ ହେବ । ପ୍ରାୟତଃ ବିଧାନସଭା ଆରମ୍ଭ ହେବାର ଦୁଇଦିନ ପୂର୍ବରୁ ଏହି ବୈଠକ ଆହ୍ୱାନ କରାଯାଇଥାଏ । କିନ୍ତୁ ସଂପ୍ରତି ପୌର ଓ ମହାନଗର ନିଗମ ନିର୍ବାଚନରେ ବିଧାୟକ ଓ ବିଧାୟିକାମାନେ ବ୍ୟସ୍ତ ରହୁଥିବା ହେତୁ ଅଧିବେଶନ ଆରମ୍ଭ ହେବାର ୧୦ ଦିନ ପୂର୍ବରୁ ସର୍ବଦଳୀୟ ବୈଠକ ଆହ୍ୱାନ କରାଯାଇଛି । ବିଧାନସଭାର ନିୟମାବଳୀ ଏବଂ ପ୍ରକ୍ରିୟା ଅନୁଯାୟୀ ଅଧିବେଶନ ଅନୁଷ୍ଠିତ ହେବ । ଅଧିବେଶନରେ ପ୍ରଶ୍ନକାଳ, ଶୂନ୍ୟକାଳ ତଥା ମୁଲତବୀ ପ୍ରସ୍ତାବ ଆଦି ରହିବ ବୋଲି ସେ ପ୍ରକାଶ କରିଛନ୍ତି ।

ବିଧାନସଭା ଆରମ୍ଭ ଅର୍ଥାତ୍‌ ମାର୍ଚ୍ଚ ୨୫ ତାରିଖ ଦିନ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କ ଅଭିଭାଷଣ ପ୍ରଦାନ କରିବେ । ଏହାପରେ ମାର୍ଚ୍ଚ ୨୫, ୨୬ ଏବଂ ୨୮ ତାରିଖ ତିନିଦିନ ଧରି ଗୃହରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ବିସ୍ତୃତ ଭାବରେ ଆଲୋଚନା ହେବ । ମାର୍ଚ୍ଚ ୩୦ ତାରିଖରେ ଅର୍ଥ ଓ ଅବକାରୀ ମନ୍ତ୍ରୀ ଶ୍ରୀ ନିରଞ୍ଜନ ଳପୂଜାରୀ ୨୦୨୨/୨୩ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍‌ ଉପସ୍ଥାପନ କରିବେ ଏବଂ ମାର୍ଚ୍ଚ ୩୧ ତାରିଖରେ ଭୋଟ ଅନ୍‌ ଆକାଉଣ୍ଟ ସଂକ୍ରାନ୍ତୀୟ ବ୍ୟୟମଂଜୁରୀ ବିଲ୍‌ ପାରିତ ହେବା ଆଦି ସଂପର୍କରେ ସର୍ବଦଳୀୟ ବୈଠକରେ ଆଲୋଚନା କରାଯିବ ବୋଲି ବାଚସ୍ପତି ଡ. ପାତ୍ର କହିଛନ୍ତି ।

Leave A Reply

Your email address will not be published.