ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ରାଜ୍ୟରେ ପୁଣି ବଢିଛି ତାତି । ପୁଣି ଡହଡହ ଗରମରେ ହନ୍ତସନ୍ତ ହେଉଛନ୍ତି ଲୋକେ। ଅଧିକାଂଶ ଅଞ୍ଚଳରେ ଲୋକେ ଗ୍ରୀଷ୍ମପ୍ରବାହରେ ଛଟପଟ ହୋଇଛନ୍ତି। ଆଜି ରାଜ୍ୟର ୧୮ଟି ସହରର ତାପମାତ୍ର ୪୦ ଡିଗ୍ରି ଉପରେ ରହିଛି।
ବୌଦ୍ଧରେ କ୍ରମାଗତ ଭାବେ ଦ୍ବିତୀୟ ଦିନରେ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି।ସୋମବାର ୪୨ ଡିଗ୍ରି ଛୁଇଁଥିଲା ବେଳେ ମଙ୍ଗଳବାର ଏହା ୪୨.୫ ଡିଗ୍ରି ରେକର୍ଡ ହୋଇଛି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ , ମଙ୍ଗଳବାର ଝାରସୁଗୁଡ଼ାରେ ୪୨.୪, ବଲାଙ୍ଗୀର ୪୧.୭ ଓ ତାଳଚେର ୪୧.୬ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ସମ୍ବଲପୁର, ରାଉରକେଲାରେ ତାପମାତ୍ରା ୪୧.୪ ଥିବା ବେଳେ ଅନୁଗୁଳ ଓ ସୁନ୍ଦରଗଡ଼ରେ ଏହା ୪୧.୧ ଡିଗ୍ରି ଅନୁଭୂତ ହୋଇଛି।ସେହିପରି କେନ୍ଦ୍ରାପଡ଼ାରେ ୪୧, ସୋନପୁରରେ ୪୦.୯, ହୀରାକୁଦରେ ୪୦.୬, ଟିଟିଲାଗଡ଼ରେ ୪୦.୫, ନୟାଗଡ଼ରେ ୪୦.୩, ବାରିପଦାରେ ୪୦.୨, ଚାନ୍ଦବାଲିରେ ୪୦.୧, କଟକ, ଜଗତସିଂହପୁର ଓ ଭବାନୀପାଟଣାରେ ପାରା ୪୦ ଡିଗ୍ରି ଛୁଇଁଛି। ଆଗକୁ ଲଘୁଚାପ ଯୋଗୁଁ ବର୍ଷା ହେବାର ସମ୍ଭାବନା ଥିବାରୁ, ଲୋକେ ବର୍ଷାକୁ ଚାତକ ଭଳି ଚାହିଁ ବସିଛନ୍ତି।