ଗିରଫ ହେଲେ ଇମ୍ରାନ ଖାନ: ସେନା ମୁଖ୍ୟାଳୟରେ ପଶି ଭଙ୍ଗାରୁଜା କଲେ ଆନ୍ଦୋଳନକାରୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ) : ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତଥା ପାକିସ୍ତାନ ତେହରିକ-ଏ-ଇନସାଫ (ପିଟିଆଇ) ମୁଖ୍ୟ ଇମ୍ରାନ୍ ଖାନଙ୍କୁ ମଙ୍ଗଳବାର ଗିରଫ କରିଛି ପାକ ରେଞ୍ଜର୍ସ । ଇସଲାମବାଦ ହାଇକୋର୍ଟ ବାହାରେ ତାଙ୍କୁ ଗିରଫ କରି ନେଇଛନ୍ତି ପାକ ରେଞ୍ଜର୍ସ । ଗିରଫ ସମୟରେ ଇମ୍ରାନଙ୍କ ଓକିଲଙ୍କୁ ଆକ୍ରମଣ ହୋଇଛି । ଏଥିରେ ସେ ଲହୁଲୁହାଣ ହୋଇଛନ୍ତି । ଗିରଫ ସମୟର ଏକ ଭିଡିଓ ପିଟିଆଇ ପକ୍ଷରୁ ସେୟାର କରାଯାଇଛି । ଏଥିରେ ଦେଖିବାକୁ ମିଳିଛି, କାଚକୁ ଭାଙ୍ଗି କୋର୍ଟ ଭିତରେ ପଶି ପାକିସ୍ତାନୀ ରେଞ୍ଜର ତାଙ୍କୁ ଗିରଫ କରିଛନ୍ତି । ଇମ୍ରାନଙ୍କୁ ଗିରଫ କରିବା ପାଇଁ ମେ‘ ୧ ତାରିଖରୁ ୱାରେଣ୍ଟ ଜାରି କରାଯାଇଥିଲା । ତେବେ ପିଟିଆଇ ପକ୍ଷରୁ କୁହାଯାଇଛି ଯେ, ତାଙ୍କୁ ଯେତେବେଳେ ଗିରଫ କରାଗଲା କୌଣସି ୱାରେଣ୍ଟ ଦେଖା ଯାଇ ନ ଥିଲା । ଇମ୍ରାନଙ୍କ ଗିରଫ ପରେ ଦେଶରେ ଉତ୍ତେଜନା ଦେଖା ଯାଇଛି । ଅନେକ ସ୍ଥାନରେ ଗଣ୍ଡଗୋଳ ଘଟିଥିବା ସୂଚନା ବି ସାମ୍ନାକୁ ଆସିଛି । ତେବେ ଇସଲାମବାଦ ପୋଲିସ ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି, ଏବେ ଇସଲାମବାଦରେ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି । ଏବେ ଏଠାରେ ୧୪୪ ଧାରା ଜାରି କରାଯାଇଛି । ଇମ୍ରାନଙ୍କ ଗିରଫ ପରେ କୋର୍ଟ ସମ୍ମୁଖରେ ଥିବା ଇମ୍ରାନଙ୍କ ଦଳ ପିଟିଆଇର ୯ ଜଣ ବରିଷ୍ଠ ସଦସ୍ୟଙ୍କୁ ମଧ୍ୟ ଗିରଫ କରି ନେଇଛି ପୋଲିସ ।

ସେପଟେ ଇସ୍ଲାମାବାଦ, ଲାହୋର, କରାଚି, ରାଓ୍ବଲପିଣ୍ଡି ଆଦି ପାକିସ୍ତାନର ବିଭିନ୍ନ ସହରରେ ହିଂସା ବ୍ୟାପିବାରେ ଲାଗିଛି । ପିଟିଆଇ କର୍ମୀ ଓ ଅନ୍ୟ ବିକ୍ଷୋଭକାରୀମାନେ ସେନା ଓ ପୁଲିସ ବିରୋଧରେ ସ୍ଲୋଗାନ ଦେବା ସହ ପୁଲିସ କର୍ମୀଙ୍କ ଉପରେ ଆକ୍ରମଣ ଆରମ୍ଭ କରିଦେଇଛନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଆନ୍ଦୋଳନକାରୀମାନେ ରାଓ୍ବଲପିଣ୍ଡିଠାରେ ଥିବା ସେନା ମୁଖ୍ୟାଳୟ ( ଜିଏଚକ୍ୟୁ) ଗେଟ୍ ଭାଙ୍ଗି ଭିତରେ ପଶି ଭଙ୍ଗାରୁଜ୍ଜା କରିଛନ୍ତି । ସେହିପରି ଲାହୋର, କ୍ବେଟା, ପେଶାଓ୍ବର, ଗୁଜରନଓ୍ବାଲାରେ ଥିବା ସେନାର କ୍ୟାଣ୍ଟନମେଣ୍ଟଗୁଡ଼ିକରେ ଆନ୍ଦୋଳନକାରୀମାନେ ପ୍ରବେଶ କରି ଭଙ୍ଗାରୁଜ୍ଜା କରିଛନ୍ତି । ଲାହୋରରେ ଥିବା ପାକିସ୍ତାନ ସେନାର କୋର୍ କମାଣ୍ଡରଙ୍କ ବାସଭବନରେ ଆନ୍ଦୋଳନକାରୀମାନେ ପ୍ରବେଶ କରି ଭଙ୍ଗାରୁଜ୍ଜା ଓ ଜଳାପୋଡ଼ା କରିଛନ୍ତି । କରାଚିରେ ଲୋକମାନେ ପୁଲିସ କର୍ମୀମାନଙ୍କୁ ପିଟୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଅନ୍ୟପକ୍ଷରେ ଆନ୍ଦୋଳନକାରୀମାନଙ୍କୁ ଘଉଡ଼େଇବାକୁ ପୁଲିସକୁ ଗୁଳିଚାଳନା କରିବାକୁ ପଡ଼ିଛି । ସେହିପରି ଇସ୍ଲାମାବାଦରେ ଆନ୍ଦୋଳନକାରୀମାନେ ଜଳାପୋଡ଼ା କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ସହରରେ ଧାରା ୧୪୪ ଲଗାଯାଇଛି । ଗୋଟିଏ ପଟେ ପିଟିଆଇ କର୍ମୀମାନେ ହିଂସାକାଣ୍ଡ ଚଳାଇଥିବାବେଳେ ଅନ୍ୟପକ୍ଷରେ ଦଳର ବରିଷ୍ଠ ନେତା ଶାହ ମେହମୁଦ କୁରେସୀ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ପାଇଁ କରିଛନ୍ତି ନିବେଦନ ।

Leave A Reply

Your email address will not be published.