ଦୁଇଜଣ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଯୋଗାଇଲା ଓଡ଼ିଶା-ମୋ ପରିବାର

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜି ଓଡ଼ିଶା-ମୋ ପରିବାର ମାଧ୍ୟମରେ ବିଭିନ୍ନ ଦୁର୍ଘଟଣାରେ ନିଜର ଅଙ୍ଗ ହରାଇଥିବା ଦୁଇଜଣ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଯୋଗାଇ ଦିଆଯାଇଛି । ସୂଚନାନୁସାରେ, ଖୋର୍ଦ୍ଧା ଜିଲ୍ଲାର ପ୍ରଭାତ ଦାସ ଏକ ଛୋଟ ଦୋକାନ କରି ଗୁଜୁରାଣ ମେଣ୍ଟାନ୍ତି । ହଠାତ୍ ତାଙ୍କ ଜୀବନରେ ଅନ୍ଧକାର ଘୋଟିଆସି ଜୀବନକୁ ସମ୍ପୂର୍ଣ୍ଣ ବଦଳାଇ ଦେଲା । ମଧୁମେହ ରୋଗରେ ଆକ୍ରାନ୍ତ ହେଲା ପରେ ତାଙ୍କ ବାମ ଗୋଡ଼ର ହାଡ଼ ଦୁର୍ବଳ ହୋଇଯିବାରୁ ସଂକ୍ରମଣ ହେବା ଆରମ୍ଭ ହୋଇ ଯାଇଥିଲା । ସଂକ୍ରମଣକୁ ରୋକିବା ପାଇଁ ତାଙ୍କ ବାମ ଗୋଡ଼ର ଆଣ୍ଠୁ ଉପରକୁ କଟା ହୋଇଯାଇଥିଲା । ଏଭଳି ପରିସ୍ଥିତିରେ ସେ ଅସହାୟ ହୋଇ ବିଜୁ ଜନତା ଦଳ ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ (ଓଡ଼ିଶା-ମୋ ପରିବାର)ଙ୍କୁ କୃତ୍ରିମ ଗୋଡ଼ ଯୋଗାଇ ଦେବା ପାଇଁ ଅନୁରୋଧ କରିଥିଲେ । ଏବଂ ସେହିପରି, କେନ୍ଦ୍ରାପଡ଼ା ଜିଲ୍ଲାର କ୍ଷୀରୋଦ ଚନ୍ଦ୍ର ମଲ୍ଲିକ ଏକଦା ରାତି ପ୍ରାୟ ୧୦.୩୦ସମୟରେ ଟ୍ରକ ଚଳାଇ ଯାଉଥିବା ବେଳେ ହଠାତ୍, ପଟ୍ଟାମୁଣ୍ଡାଇରେ ଅନ୍ୟ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଯାହା ଫଳରେ ସେ ତାଙ୍କର ଗୋଡ଼ ହରାଇଥିଲେ । ପ୍ରାୟତଃ, ଏକ ବର୍ଷ ପରେ ସେ କୌଣସି ଏକ ସ୍ଥାନରୁ କୃତ୍ରିମ ଗୋଡ଼ ଆଣି ବ୍ୟବହାର କରିଥିଲେ, ଯାହା ତାଙ୍କୁ ବ୍ୟବହାର କରିବାରେ ଆରାମଦାୟକ ଲାଗିନଥିଲା । ଉନ୍ନତମାନର କୃତ୍ରିମ ଗୋଡ଼ ଯୋଗାଇ ଦେବା ପାଇଁ ସେ ସ୍ଥାନୀୟ ବିଧାୟିକା ଶ୍ରୀମତୀ ସାବିତ୍ରୀ ଅଗ୍ରୱାଲାଙ୍କର ସାହାଯ୍ୟ ଲୋଡ଼ିଥିଲେ । ଶ୍ରୀମତୀ ଅଗ୍ରୱାଲା ସଙ୍ଗେସଙ୍ଗେ ତାଙ୍କୁ ଓଡ଼ିଶା-ମୋ ପରିବାର ପକ୍ଷରୁ କୃତ୍ରିମ ଅଙ୍ଗ ଯୋଗାଣ ବିଷୟରେ ସୂଚନା ଦେବା ପରେ ସେ ହେଲ୍ପଲାଇନ ନମ୍ବରରେ ଯୋଗାଯୋଗ କରିଥିଲେ ।
ଦୁହିଁଙ୍କର କରୁଣ କାହାଣୀ ସମ୍ପର୍କରେ ଖବର ପାଇବା ପରେ ଓଡ଼ିଶା-ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ କ୍ୟାପିଟାଲ ହସ୍ପିଟାଲ ପରିସରଭୁକ୍ତ ଏ.ଆର.ସି ସହିତ ସମନ୍ଵୟ ରକ୍ଷା କରି ଦୁଇଜଣଙ୍କୁ ଆଜି କୃତ୍ରିମ ଅଙ୍ଗ ଯୋଗାଇ ଦିଆଯାଇଛି । କୃତ୍ରିମ ଅଙ୍ଗ ଲାଗିବା ସମୟରେ ଓଡ଼ିଶା-ମୋ ପରିବାର ଆବାହକଙ୍କ ସମେତ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ,ସ୍ୱାସ୍ଥ୍ୟ ଉପଦେଷ୍ଟା ଡ଼ଃ ସତ୍ୟଜିତ ଦାଶ(ଓଡ଼ିଶା-ମୋ ପରିବାର),ବିଧାୟିକା ଶ୍ରୀମତୀ ସାବିତ୍ରୀ ଅଗ୍ରୱାଲାଙ୍କର ପ୍ରତିନିଧି ଶ୍ରୀ ସଞ୍ଜୟ ଅଗ୍ରୱାଲା ଏବଂ ଓଡ଼ିଶା-ମୋ ପରିବାରର ସଦସ୍ୟମାନେ ଉପସ୍ଥିତ ଥିଲେ । କୃତ୍ରିମ ଅଙ୍ଗ ଲାଗିବା ପରେ ଦୁଇଜଣ ଭିନ୍ନକ୍ଷମଙ୍କ ମୁହଁରେ ଖୁସିର ଲହରୀ ଖେଳିଯାଇଥିଲା । ସେମାନେ ଏଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା-ମୋ ପରିବାରକୁ ଅଶେଷ ଧନ୍ୟବାଦ ଜଣାଇଥିଲେ ।

Leave A Reply

Your email address will not be published.