ଆରପାରିରେ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଲୋକପ୍ରିୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକଙ୍କ କଣ୍ଠରୁ ଆଉ ଶୁଭିବନି ଭାବପୂର୍ଣ୍ଣ ଭଜନ। କର୍କଟ ରୋଗରେ ଆକ୍ରାନ୍ତ ହେବାପରେ ଦୀର୍ଘକାଳ ଧରି ଚିକିତ୍ସିତ ହେଉଥିବା ଏହି ସ୍ବରଶିଳ୍ପୀ ଭୁବନେଶ୍ବରର ଏକ ‌ଘରୋଇ ଡାକ୍ତରଖାନାରେ ଆଜି ରାତି ୮ଟାରେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି।

ତାଙ୍କୁ ୬୫ ବର୍ଷ ହୋଇଥିଲା। ସେ ୨୦୧୧ ମସିହାରୁ କର୍କଟ ରୋଗରେ ପଡ଼ିଥିଲେ। କୋଭିଡ୍‌ ପରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇାପଡ଼ିଥିଲା। ଗତବର୍ଷ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯାଇଥିଲା। ଏହି ସମୟରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ମିଛ ଖବର ମଧ୍ୟ ପ୍ରଚାରିତ ହୋଇଥିଲା। ଶାନ୍ତିଲତା ବାରିକ ଛୋଟରାୟ ହେଉଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କ ପରମ ଭକ୍ତ। ଜୀବନ କାଳ ଭିତରେ ଅନେକ ଲୋକପ୍ରିୟ ଜଗନ୍ନାଥ ଭଜନ ଗାଇଛନ୍ତି। ଅତି ଲୋକପ୍ରିୟ। ରାଜ୍ୟ ଓ ରାଜ୍ୟ ବାହାରେ ତାଙ୍କର ବହୁ ପ୍ରଶଂସକ ଅଛନ୍ତି। ୨୦୧୧ ମସିହାରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ହେଲ୍‌ଥ୍‌ ଚେକ୍‌ଅପ୍‌ ପରେ କ୍ୟାନ୍‌ସର ହୋଇଥିବା ଜାଣିବାକୁ ପାଇଥିଲେ ପରିବାର ଲୋକେ। ତା’ପରେ ତାଙ୍କୁ ସଙ୍ଗେ ସଙ୍ଗେ ମୁମ୍ୱାଇର ଟାଟା ମେମୋରିଆଲ୍‌ କ୍ୟାନ୍‌ସର ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

ସେଠାରେ ଚିକିତ୍ସା ପରେ ସାମାନ୍ୟ ସୁସ୍ଥ ହୋଇଥିଲେ। କିନ୍ତୁ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇନଥିଲେ। ନିୟମିତ ମେଡ଼ିସିନ୍‌ ଖାଉଥିଲେ। ଆଜି ମୃତ୍ୟୁ ଖବର ଆସିବା ପରେ ସାରା ଓଡ଼ିଶା ସମେତ ଦେଶ ଓ ବିଦେଶରେ ଥିବା ତାଙ୍କର ହଜାର ହଜାର ପ୍ରଶଂସକ ଦୁଃଖରେ ଭାଙ୍ଗିପଡ଼ିଛନ୍ତି। ଓଡ଼ିଆ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ମରଶରୀରକୁ ଡାକ୍ତରଖାନାରୁ ବିନ୍ଦୁ ସାଗର ନିକଟସ୍ଥ ବାସଭବନକୁ ନିଆଯାଇଥିଲା। ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ସୁରେଶ ରାଉତରାୟ, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସମୀର ରଂଜନ ଦାସ, କଣ୍ଠଶିଳ୍ପୀ ଲକ୍ଷ୍ମୀକାନ୍ତ ପାଲିତଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଶେଷଦର୍ଶନ କରିଛନ୍ତି।

Leave A Reply

Your email address will not be published.