ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୃତ୍ୟୁ ପରେ ବି ଆମର ଶୁଭଜିତ୍ | ପରୀକ୍ଷା ଦେବାକୁ ଘରୁ ସ୍କୁଲକୁ ଯାଇଥିଲେ ଶୁଭୋଜିତ୍। ପରୀକ୍ଷା ଦେଉଥିବା ବେଳେ ହଠାତ୍ ଦେହ ଖରାପ ହେଲା ଓ ଶ୍ରେଣୀ ଗୃହରେ ଟଳିପଡ଼ିଲେ। ସଙ୍ଗେ ସଙ୍ଗେ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ଚିକିତ୍ସା ଅବସ୍ଥାରେ ଡାକ୍ତର ତାଙ୍କୁ ବ୍ରେନ୍ ଡେଡ୍ ଘୋଷଣା କରିଥିଲେ। ଡାକ୍ତର ବ୍ରେନ ଡେଡ୍ ଘୋଷଣା କରିବା ପରେ ପିତାମାତା ଛାତିକୁ କଠୋର କରି ଶୁଭୋଜିତଙ୍କର ଅଙ୍ଗଦାନ କରାଯିବ ବୋଲି ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଶୁଭୋଜିତଙ୍କୁ ଅମର କରିଦେଇଛି।
୮ ବର୍ଷର ବାଳକ ପାଇଁ ୮ଜଣ ନୂଆ ଜୀବନ ପାଇବେ। ଆସନ୍ତାକାଲି ପୂର୍ବାହ୍ନରେ ସତ୍ୟନଗର ମଶାଣୀରେ ରାଷ୍ଟ୍ରୀୟ ସମ୍ମାନର ସହିତ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଜଣାପଡ଼ିଛି। ବୟସ ପ୍ରାୟ ୮ ବର୍ଷ ହେବ । ଏକ ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପଢୁଥିଲେ। ହେଲେ ବୁଧବାର ଥିଲା ତାଙ୍କ ପାଇଁ ଶେଷ ଦିନ। ବିଦ୍ୟାଳୟରେ ଓଡ଼ିଆ ପରୀକ୍ଷା ଥିବାରୁ ସକାଳୁ ସକାଳୁ ଗୁରୁଜନଙ୍କ ଆଶୀର୍ବାଦ ନେଇ ବାହାରି ପଡିଥିଲେ। ସେଠାରେ ପରୀକ୍ଷା ଗୃହକୁ ମଧ୍ୟ ଯାଇଥିଲେ। ହେଲେ ହଠାତ୍ ଅସୁସ୍ଥ ହୋଇପଡିଥିଲେ। ପରୀକ୍ଷା ହଲ୍ରେ ଥିବା ମାଡ଼ାମ ଓ ଅନ୍ୟମାନେ ତାଙ୍କୁ ଉଦ୍ଧାର କରି ଶିଶୁ ଭବନରେ ଭର୍ତ୍ତି କରିଥିଲେ। ଏଥିସହ ପରିବାରକୁ ଖବର ଦେଇଥିଲେ ସ୍କୁଲ୍ କର୍ତ୍ତୃପକ୍ଷ। ଶିଶୁ ଭବନରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍କୁ ସ୍ଥାନାନ୍ତରିତ କରାଯାଇଥିଲା। କ୍ୟାପିଟାଲ୍ ହସ୍ପିଟାଲ୍ରେ ଶୁଭୋଜିତଙ୍କ ଚିକିତ୍ସା ଆରମ୍ଭ କରାଯାଇଥିଲା।
ବ୍ରେନ୍ ଷ୍ଟ୍ରୋକ୍ ହୋଇଥିବାରୁ ଆଇସିୟୁ ଦରକାର ପଡ଼ିଥିଲା। ସେତେବେଳେ କ୍ୟାପିଟାଲ୍ ହସ୍ପିଟାଲ୍ରେ ଆଇସିୟୁ ଖାଲି ନଥିଲା। ତେଣୁ ପରିବାର ଲୋକେ ଛୁଆକୁ ଧରି ଏକ ପ୍ରାଇଭେଟ୍ ମେଡ଼ିକାଲ୍ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କୁ ଆଇସିୟୁରେ ଚିକିତ୍ସା କରାଯାଇଥିଲା। ଚିକିତ୍ସା ପରେ ସ୍ୱାସ୍ଥ୍ୟ ଅବସ୍ଥାରେ ସାମାନ୍ୟ ଉନ୍ନତି ଘଟିଥିଲା। ଚିକିତ୍ସା କରୁଥିବା ଡାକ୍ତର ଓ ପରିବାର ଭାବିଥିଲେ ସବୁକିଛି ଠିକ୍ ହୋଇଯିବ। ଚିକିତ୍ସା ପରେ ଶୁଭୋଜିତଙ୍କ ହାର୍ଟ, ଲଗ୍ସ ପ୍ରମୁଖ ଆକ୍ଟିଭ୍ ହେଲା। କିନ୍ତୁ ବ୍ରେନ୍ ରେସ୍ପଣ୍ଡ କଲାନାହିଁ। ଶେଷରେ ଗୁରୁବାର ଦିନ ଡାକ୍ତର ବ୍ରେନ୍ ଡେଡ୍ ବୋଲି ଘୋଷଣା କଲେ।