ଶନିବାର ଶ୍ରୀବିଗ୍ରହଙ୍କ ପଦ୍ମମୁଖ ବେଶ ଅନୁଷ୍ଠିତ ହେବ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଶନିବାର ଶ୍ରୀବିଗ୍ରହଙ୍କ ପଦ୍ମମୁଖ ବେଶ ଅନୁଷ୍ଠିତ ହେବ ।  ପଦ୍ମଫୁଲରେ ସଜ୍ଜିତ ହେବେ କାଳିଆ ସାଆନ୍ତ। ବଡ଼ଭାଇ ବଳଭଦ୍ର ଓ ଭଉଣୀ ମା’ ସୁଭଦ୍ରା ବି ଏହି ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ।

ଏଥିପାଇଁ ବେଶ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ବଡ଼ଛତା ମଠ ପକ୍ଷରୁ ପ୍ରଦତ୍ତ ସାମଗ୍ରୀରେ ଶ୍ରୀମନ୍ଦିର ଦୟଣାମାଳ ସେବକ ପଦ୍ମବେଶ ପ୍ରସ୍ତୁତ କରିଛନ୍ତି। ଆଜି ସନ୍ଧ୍ୟାଧୂପ ପରେ ଶ୍ରୀମନ୍ଦିରକୁ ପ୍ରସ୍ତୁତ ପଦ୍ମବେଶ ବିଜେ କରିବ। ବଡ଼ସିଂହାର ବେଶରେ ଏହା ଶ୍ରୀଜିଉଙ୍କୁ ଲାଗି ହେବ। ପରଦିନ ଅବକାଶ ପୂର୍ବରୁ ବେଶ ଓଲାଗି ହେବ। ସେହିପରି ରବିବାର ସକାଳେ ବେଶରେ ଥାଇ ଠାକୁରଙ୍କ ମଙ୍ଗଳାଳତି ବଢିବ । ଖିରି ଅମାଲୁ ଭୋଗ ଲାଗିବ। ଭକ୍ତମାନେ ଠାକୁରଙ୍କ ପଦ୍ମମୁଖ ବେଶ ଦର୍ଶନ ସହ ଆନନ୍ଦବଜାରରୁ ଖିରି ଅମାଲୁ ଭୋଗ ପାଇ ଧନ୍ୟ ହେବେ ।

ମାଘମାସ ଅମାବାସ୍ୟାଠାରୁ ବସନ୍ତ ପଞ୍ଚମୀ ମଧ୍ୟରେ ଶନିବାର କିମ୍ବା ବୁଧବାର ଦିନ ଏହି ବେଶ ଅନୁଷ୍ଠିତ ହେବାର ପରମ୍ପରା ରହିଛି । ମହାପ୍ରଭୁଙ୍କ ଦୟଣାମାଳି ସେବକ ବସନ୍ତ କୁମାର ରଣାଙ୍କ ତତ୍ତ୍ୱାବଧାନରେ ଠାକୁରଙ୍କ ବେଶ ପ୍ରସ୍ତୁତ ହୋଇଛି । ପରମ୍ପରା ଅନୁସାରେ ଦୋଳମଣ୍ଡପ ସାହିସ୍ଥିତ ବଡ଼ଛତା ମଠରୁ ଏହି ବେଶ ସାମଗ୍ରୀ ଶ୍ରୀମନ୍ଦିରକୁ ଆସିଥାଏ ।

Leave A Reply

Your email address will not be published.