ପରଲୋକରେ ବିଶିଷ୍ଟ ସାହିତ୍ୟିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତି, ଶୋକବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ବିଶିଷ୍ଟ ସାହିତ୍ୟିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ପରଲୋକ । କଟକ ବାଦାମବାଡ଼ି ସ୍ଥିତ ବାସଭବନରେ ୮୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ରାଷ୍ଟ୍ରୀୟ ସମ୍ମାନ ସହ ତାଙ୍କର ଶେଷକୃତ୍ୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କଟକ ସ୍ଥିତ ସତୀଚଉରାରେ ତାଙ୍କୁ ଅନ୍ତିମ ବିଦାୟ ଦିଆଯିବ।

ବୀଣାପାଣି ମହାନ୍ତି (ଜନ୍ମ: ୧୧ ନଭେମ୍ବର ୧୯୩୬) ଜଣେ ଓଡ଼ିଆ ଗାଳ୍ପିକା । ସେ ବୃତ୍ତିରେ ଅର୍ଥନୀତି ଅଧ୍ୟପିକା ଭାବେ କାର୍ଯ୍ୟ କରି ସେଥିରୁ ଅବସର ନେଇଥିଲେ । ୨୦୨୦ ମସିହାରେ ସେ ତାଙ୍କର ସାହିତ୍ୟିକ କୃତି ନିମନ୍ତେ ପଦ୍ମଶ୍ରୀ ସମ୍ମାନ ଏବଂ ଓଡ଼ିଆ ସାହିତ୍ୟର ସର୍ବୋଚ୍ଚ ପୁରସ୍କାର ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ଲାଭ କରିଥିଲେ ଓ ପୂର୍ବରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଶାରଳା ପୁରସ୍କାରରେ ମଧ୍ୟ ସମ୍ମାନୀତ ହୋଇଥିଲେ । ସେ ଓଡ଼ିଶା ଲେଖିକା ସଂସଦର ସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ବୀଣାପାଣି ମହାନ୍ତିଙ୍କ ଜନ୍ମ ୧୯୩୬ ମସିହାରେ ବ୍ରହ୍ମପୁରରେ ହୋଇଥିଲା । ମାତ୍ର ତାଙ୍କ ପୈତୃକ ଗୃହ କେନ୍ଦ୍ରାପଡ଼ା ନିକଟସ୍ଥ ଚାନ୍ଦୋଳଠାରେ ଥିଲା । ସେ ୧୯୫୩ ମସିହାରେ ମାଟ୍ରିକ, ୧୯୫୭ରେ ଅର୍ଥନୀତିରେ ସ୍ନାତକ ଓ ୧୯୫୯ରେ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହୋଇଥିଲେ । ତାଙ୍କର ସାହିତ୍ୟିକ ଜୀବନ କବିତା ଲେଖାରୁ ଆରମ୍ଭ ହୋଇ ଥିଲା । ୧୯୬୦ ମସିହାରେ ସେ ଜଣେ ଅର୍ଥନୀତି ଅଧ୍ୟାପିକା ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ଓ ୧୯୯୨ରେ ଏଥିରୁ ଅବସର ଗ୍ରହଣ କରିଥିଲେ । ସେ ଆଜୀବନ ଅବିବାହିତା

ବୀଣାପାଣି, ଜଣେ କବି ଭାବରେ ଲେଖାଲେଖି ଆରମ୍ଭ କରି, ପରବର୍ତ୍ତୀ ସମୟରେ ଗଳ୍ପ ଓ ଉପନ୍ୟାସକୁ ଆବୋରୀ ନେଇଥିଲେ । ୧୯୫୫ ମସିହାରେ ତାଙ୍କର ପ୍ରଥମ କବିତା “ତନ୍ଦ୍ରାହତ” ପ୍ରଜାତନ୍ତ୍ର ନାରୀମହଲରେ ପ୍ରକାଶ ପାଇଥିଲା । ୧୯୫୭ ମସିହାରେ ତାଙ୍କର ପ୍ରଥମ ଗଳ୍ପ “ଗୋଟିଏ ରାତ୍ରୀର କାହାଣୀ” ରବିବାସରୀୟ ପ୍ରଜାତନ୍ତ୍ରରେ ପ୍ରକାଶ ପାଇଥିଲା । ୧୯୬୧ମସିହାରେ ତାଙ୍କ ଗଳ୍ପ “ନାଉଗଛ” ତାଙ୍କୁ ବହୁ ପାଠକୀୟ ସ୍ୱୀକୃତି ଆଣି ଦେଇଥିଲା ଓ ସେ କବିତା ଛାଡି ସମ୍ପୂର୍ଣ୍ଣ ଭାବରେ ଗଳ୍ପ ଲେଖିବାକୁ ଲାଗିଥିଲେ । ଚଳନ୍ତି ଜୀବନରୁ ସତସତିକା ଘଟଣାକୁ ସାଉଁଟି ନେଇ ତାହାକୁ ଗପ ରୂପ ଦେଇଥାନ୍ତି ବୀଣାପାଣି । “ନାଉଗଛ” ଗଳ୍ପଟି ବାଲେଶ୍ୱର କୁନ୍ତଳା କୁମାରୀ ମହାବିଦ୍ୟାଳୟରେ ଅଧ୍ୟାପନା ସମୟରେ ଲେଖାଯାଇଥିଲା । କଲେଜରେ ଆପେ ଆପେ ମାଡ଼ିଥିବା ନାଉଗଛ ଥିଲା ଏ ଗଳ୍ପ ପଛର ପ୍ରେରଣା । ସେହିପରି ପାଟଦେଈ ଗଳ୍ପଟି ଭୁବନେଶ୍ୱରର ରସୁଲଗଡ଼ ଛକରେ ବସରେ ଜୋର କରି ଠେଲି ବସାଯାଇଥିବା ଏକ ଝିଅକୁ ଦେଖି ଲେଖାଯାଇଥିଲା ।

ଯଶସ୍ବୀ ସାରସ୍ୱତ ସାଧକ ବୀଣାପାଣି ମହାନ୍ତିଙ୍କ ବିୟୋଗ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।ଏକ ଶୋକବର୍ତ୍ତାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ସ୍ବର୍ଗତ ବୀଣାପାଣି ମହାନ୍ତି ତାଙ୍କ ଗଳ୍ପ ଓ ଉପନ୍ୟାସ ରେ ନାରୀ ଜୀବନ ର ସଂଘର୍ଷକୁ ସଫଳତାର ସହ ଉପସ୍ଥାପନା କରିଯାଇଛନ୍ତି।ତାଙ୍କର କାଳଜୟୀ ରଚନା ନାରୀ ସଶକ୍ତିକରଣ ପାଇଁ ସବୁବେଳେ ପ୍ରେରଣା ଯୋଗାଇ ଚାଲିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବୀଣାପାଣି ମହାନ୍ତିଙ୍କ ବିୟୋଗ ଓଡ଼ିଆ ସାରସ୍ୱତ ଜଗତରେ ଏକ ବିରାଟ ଶୂନ୍ୟତା ସୃଷ୍ଟି କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ପରଲୋକଗତ ଆତ୍ମାର ସଦଗତି କାମନା କରିଛନ୍ତି।
ସ୍ବର୍ଗତ ବୀଣାପାଣି ମହାନ୍ତିଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନ ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି

Leave A Reply

Your email address will not be published.