ବିଶିଷ୍ଟ ଶିକ୍ଷାବିତ୍ ସାହିତ୍ୟିକ ପଦ୍ମଶ୍ରୀ ରଜତ କରଙ୍କ ଦେହାନ୍ତ, ଶୋକ ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ବିଶିଷ୍ଟ ଶିକ୍ଷାବିତ୍, ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା, ସୁସାହିତ୍ୟିକ, ସୁବକ୍ତା ତଥା ଜଣାଶୁଣା ଆଧ୍ୟାତ୍ମିକ ପ୍ରବଚକ ଡକ୍ଟର ରଜତ କୁମାର କରଙ୍କ ଦେହାନ୍ତ ହୋଇଛି। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ୮୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିବା ପୁତ୍ର ରଂଜିତ କର ସୂଚନା ଦେଇଛନ୍ତି। ସେ ହୃଦଘାତରେ ପୀଡିତ ଥିଲେ ଏବଂ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ହୋଇଥିବା ଜଣାପଡ଼ିଛି। ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ ଅବଦାନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗତବର୍ଷ ତାଙ୍କୁୂ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା।

ରଜତ କୁମାର କର (୨ ଅକ୍ଟୋବର ୧୯୩୪ – ୮ ମଇ ୨୦୨୨) ଜଣେ ଓଡ଼ିଆ ଶିକ୍ଷାବିତ, ନାଟ୍ୟକାର ଓ ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା ଥିଲେ । ଦୀର୍ଘ ୬୦ ବର୍ଷ ଧରି ସେ ଟିଭି ଓ ରେଡ଼ିଓରେ ରଥଯାତ୍ରାର ଧାରା ବିବରଣୀ ପ୍ରଦାନ କରି ଓଡ଼ିଶାର ଜନମାନସରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିଲେ । ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଜଣେ ସୁବକ୍ତା ଭାବେ ତାଙ୍କର ଖ୍ୟାତି ରହିଥିଲା ।  ୨୦୨୧ ମସିହାରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ପୁରସ୍କୃତ କରାଯାଇଥିଲା ।

ରଜତ କର ୧୯୩୪ ମସିହାର ଅକ୍ଟୋବର ୨ ତାରିଖରେ କଟକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କୁଳମଣି କର ଓ ମାତାଙ୍କ ନାମ ଇନ୍ଦୁମତୀ ଦେବୀ । ସେ  ରେଭେନ୍ସା କଲେଜେଟ ସ୍କୁଲର ଛାତ୍ର ଥିଲେ ଏବଂ ପରେ ଅର୍ଥନୀତିରେ ସ୍ନାତକୋତର ଡିଗ୍ରୀ କରିଥିଲେ ।

ଜଗନ୍ନାଥ ଧର୍ମ ଓ ରୀତିନୀତିକୁ ନେଇ ସେ ଅନେକ ସାହିତ୍ୟ ରଚନା କରିଥିଲେ ।

  • ଜନ ଜୀବନରେ ଜଗନ୍ନାଥ – ୨୦୦୬ ( ବସଙ୍ଗ ପବ୍ଲିକେଶନ୍ସ, କଟକ )
  • ଅନନ୍ୟ ଜଗନ୍ନାଥ ଅନୁଭୁତିରେ – ୨୦୦୮ ( ମହାବୀର ପ୍ରକାଶନ, ଭୁବନେଶ୍ୱର )
  • ଅନ୍ଧପୁଟୁଳି – ୧୯୭୧ ( ଜେ ମହାପାତ୍ର ଆଣ୍ଡ କୋ, କଟକ )
  • ଚନ୍ଦନ ହଜୁର – ୧୯୬୭ ( ସାହିତ୍ୟ ମନ୍ଦିର, କଟକ )
  • ଜଣାଣ ଜଣାଉଛି ଜଗନ୍ନାଥଙ୍କୁ – ୧୯୯୯ ( ପ୍ରଭାତ କୁମାର କର )
  • ବାଇଶି ପାବଚ୍ଛ – ୧୯୯୯ ( ଶାନ୍ତି ପ୍ରକାଶନୀ, ଭୁବନେଶ୍ୱର )
  • ବୀର ଚାଖି ଖୁଣ୍ଟିଆ – ୨୦୦୩ ( ରଞ୍ଜିତ କର )
  • ଜନମାନସରେ ଭଞ୍ଜ – ୨୦୦୭ ( ବାସନ୍ତୀ ପବ୍ଲିକେଶନ୍ସ, କଟକ )
  • ରଜତ କର ଜଣେ ଶିକ୍ଷାବିତ୍ ଭାବରେ ଓଡିଶା ସରକାରଙ୍କ ଶିକ୍ଷା ବିଭାଗରେ ଦୀର୍ଘଦିନ ଧରି କାମ କରିଥିଲେ ଏବଂ ଏସସିଇଆଇଟିର ନିର୍ଦ୍ଦେଶକ ଭାବେ ଚାକିରିରୁ ଅବସର ଗ୍ରହଣ କରିଥିଲେ । ସେ ଆକାଶବାଣୀର ବିଭିନ୍ନ କାର୍ଯ୍ୟକ୍ରମରେ ଅଭିନୟ କରିବା ସହିତ ଅନେକ ନାଟକ ମଧ୍ୟ ରଚନା କରିଥିଲେ ।
  • ସେ ଟିଭି ଓ ରେଡ଼ିଓରେ ରଥଯାତ୍ରାର ଧାରା ବିବରଣୀ ପ୍ରଦାନ କରୁଥିଲେ । ପ୍ରାର୍ଥନା ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ବାଦୀପାଲାରେ ସେ ବିଚାରକ ଭାବରେ କାର୍ଯ୍ୟ କରିବା ସହିତ ଏବଂ ଅନ୍ୟ ଏକ କାର୍ଯ୍ୟକ୍ରମ ବୈଦେହୀଶ ବିଳାସରେ  ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟ ବୈଦେହୀସ ବିଳାସର ଉପସ୍ଥାପନା କରୁଥିଲେ ।

ସୁସାହିତ୍ୟିକ, ଜଗନ୍ନାଥ ସଂସ୍କୃତି ର ଅନନ୍ୟ ଗବେଷକ ପଦ୍ମଶ୍ରୀ ରଜତ କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ଶୋକବାର୍ତ୍ତା ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବର୍ଗତ ରଜତ କର ଓଡ଼ିଆ ସାରସ୍ୱତ ଜଗତକୁ ବହୁ ଭାବରେ ସମୃଦ୍ଧ କରିଯାଇଛନ୍ତି .
ଭଞ୍ଜ ସାହିତ୍ୟରେ ତାଙ୍କର ଅଗାଧ ପାଣ୍ଡିତ୍ୟ ଥିଲା।
ଓଡ଼ିଆ ସଂସ୍କୃତି ଓ ପରମ୍ପରା ବିଶେଷ କରି ଜଗନ୍ନାଥ ସଂସ୍କୃତି ର ପ୍ରଚାର ପ୍ରସାର ରେ ତାଙ୍କର ଅବଦାନ ପାଇଁ ସେ ସବୁବେଳେ ସ୍ମରଣୀୟ ହୋଇ ରହିବେ।
ତାଙ୍କ ବିୟୋଗରେ ଓଡିଶା ଜଣେ ସୁଯୋଗ୍ୟ ସନ୍ତାନକୁ ହରାଇଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶୋକ ସନ୍ତପ୍ତ ପରିବାର କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ପରଲୋକ ଗତ ଆତ୍ମାର ସଦଗତି କାମନା କରିଛନ୍ତି। ଏହା ସହ ପଦ୍ମଶ୍ରୀ ସ୍ବର୍ଗତ ରଜତ କରଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନର ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରଛନ୍ତି।

 

Leave A Reply

Your email address will not be published.