ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସାମ୍ନାକୁ ଆସିଲା ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆପ୍ ସାଂସଦ ରାଘବ ଚଡ୍ଡାଙ୍କ ବିବାହ ତାରିଖ। ଦୁହିଁଙ୍କ ନିର୍ବନ୍ଧ ପରଠୁ ସେମାନଙ୍କ ବିବାହକୁ ନେଇ ଖୁବ୍ ଚର୍ଚ୍ଚା ଲାଗି ରହିଛି । ଖବରର ଶିରୋନାମା ପାଲଟୁଥିବା ଏହି ଯୋଡ଼ିଙ୍କ ବିବାହ ସଂପର୍କିତ ଖବରକୁ ଅପେକ୍ଷା କରି ରହିଛନ୍ତି ତାଙ୍କର ଶୁଭେଚ୍ଛୁ ଓ ପ୍ରଶଂସକ। ଏବେ ସେମାନଙ୍କ ବିବାହ ତାରିଖଠୁ ଆରମ୍ଭ କରି ଆୟୋଜନ ସ୍ଥଳ ପର୍ଯ୍ୟନ୍ତ ବିଭିନ୍ନ ସୂଚନା ମିଳିଛି । ସିଟି ଅଫ୍ ଲେକ୍ସ(ହ୍ରଦର ସହର) ଭାବେ ପରିଚିତ ରାଜସ୍ଥାନର ଉଦୟପୁରରେ ପରିଣୀତ ଓ ରାଘବଙ୍କ ବିବାହ ସ୍ଥିରିକୃତ ହୋଇଛି। ଆସନ୍ତା ସେପ୍ଟେମ୍ବର ୨୩ ଓ ୨୪ରେ ଉଦୟପୁରର ଦୁଇ ରୟାଲ ହୋଟେଲରେ ବିବାହ ବନ୍ଧନରେ ବାନ୍ଧି ହେବେ ପରିଣୀତି – ରାଘବ । ଏଥିପାଇଁ ଦି ଲୀଲା ପ୍ୟାଲେସ ଓ ଦି ଓବେରୟ ଉଦୟ ବିଲାସରେ ବୁକିଂ କରାଯାଇଥିବା ନେଇ ସୂଚନା ମିଳିଛି । ହଲଦୀ , ମେହେନ୍ଦି ଓ ସଙ୍ଗୀତ ସମେତ ଅନ୍ୟାନ୍ୟ ବିବାହ ରୀତି ନୀତି ଲୀଲାରେ ଅନୁଷ୍ଠିତ ହେବାକୁ ନିଷ୍ପତ୍ତି ହୋଇଥିବା ବେଳେ ଦି ଓବେରୟରେ ଅତିଥିଙ୍କ ରହଣି ବ୍ୟବସ୍ଥା କରାଯାଇଛି । ଏତଦ୍ ବ୍ୟତୀତ ଆଖପାଖର ଆଉ ୨ରୁ୩ଟି ହୋଟେଲରେ ମଧ୍ୟ ବ୍ୟବସ୍ଥା ହୋଇଥିବା ନେଇ ଖବର ମିଳିଛି ।
ସୂଚନା ଅନୁସାରେ ଏହି ସେଲିବ୍ରିଟିଙ୍କ ବିବାହ ସମାରୋହରେ ଯୋଗଦେବା ପାଇଁ ପ୍ରାୟ ୨୦୦ଜଣ ଅତିଥି ନିମନ୍ତ୍ରିତ ହୋଇଥିବା ବେଳେ ସେଥିରୁ ପ୍ରାୟ ୫୦ରୁ ଅଧିକ ବ୍ୟକ୍ତି ମନୋରଞ୍ଜନ ତଥା ରାଜନୀତି କ୍ଷେତ୍ର ସହ ଜଡ଼ିତ । ସେମାନଙ୍କ ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲ , ପ଼ଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବତ ମାନ୍, ବିଶିଷ୍ଟ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ସ୍ୱାମୀ ନିକ୍ ଜୋନସ ମଧ୍ୟ ଅତିଥି ତାଲିକାରେ ସାମିଲ ଅଛନ୍ତି । ଅପରପକ୍ଷେ ଦି ଲୀଲାରେ ବିବାହ ଅନୁଷ୍ଠାନ ପାଇଁ ପ୍ରାକ୍ ପ୍ରସ୍ତୁତି ଆରମ୍ଭ ହୋଇଥିବା ନେଇ ସୂଚନା ମିଳିଛି । ତେବେ ଉଦୟପୁରର ହ୍ରଦ ପିଛୋଲାରେ ନିର୍ମିତ ହୋଟେଲ ଲୀଲା ପ୍ୟାଲେସରେ ଗୋଟିଏ ରାତି ରହିବା ପାଇଁ ୩୦ ହଜାରରୁ ୯ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଖର୍ଚ୍ଚ ହୋଇଥାଏ । ଏଠାରେ ବିବାହର ସମ୍ପୂର୍ଣ୍ଣ ବିଧି ଅନୁଷ୍ଠିତ ହେବ ।