ଓଡ଼ିଆ ନ୍ୟୁଜ୍ : କେବଳ ଶୀତ ଦିନେ ନୁହେଁ, ଏଣିକି ବର୍ଷ ସାରା ରାଜଧାନୀରେ ପାଳନ ହେବ ପଥୋତ୍ସବ। ରାଜଧାନୀ ରାଜରାସ୍ତା, ଗଳି କନ୍ଦିରେ ସବୁଠି ସକାଳୁ ସକାଳୁ ଝୁମିବେ ଲୋକେ। ପଥୋତ୍ସବ ନେଇ ବଡ ଘୋଷଣା କରିଛନ୍ତି ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ବର୍ଷକୁ ୧୨ଟି ଅର୍ଥାତ୍ ପ୍ରତି ମାସରେ ଗୋଟିଏ ଗୋଟିଏ ପଥୋତ୍ସବ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ଏତିସହିତ ଶୀତ ଦିନ ଆସିଲେ ପ୍ରତି ସପ୍ତାହରେ ପଥୋତ୍ସବ କରାଯିବ। ଏନେଇ ବିଭାଗ ଖୁବ୍ ଶୀଘ୍ର ନିଷ୍ପତ୍ତି ନେବ ବୋଲି କହିଛନ୍ତି ମନ୍ତ୍ରୀ। ସେପଟେ ଆଜି ଭୁବନେଶ୍ଵର ଜାଗମରାରେ ପଥୋତ୍ସବ ଅନୁଷ୍ଠିତ ହୋଇଥିଲା। ଶୀତୁଆ ସକାଳର ନାଚ ଗୀତରେ ମସଗୁଲ ହୋଇଥିଲେ ରାଜଧାନୀବାସୀ। ଗୀତ ସାଙ୍ଗକୁ ସମ୍ବଲପୁରୀ ଓ ଓଡିଶୀ ନୃତ୍ୟର ଆସର ଜାଗମରା ସ୍ଥିତ ରାସ୍ତାରେ ଦେଖିବାକୁ ମିଳିଥିଲା। ଚଳିତ ବର୍ଷ ଜାନୁଆରୀ ୫ରୁ ଆରମ୍ଭ ହୋଇଛି ପଥୋତ୍ସବ। ଯାହା ପ୍ରତିବର୍ଷ ଶୀତ ଦିନ ଆସିଲେ ବିଏମସି ଦ୍ବାରା ସହରର ମୁଖ୍ୟ ରାସ୍ତା ଉପରେ ଆୟୋଜିତ ହୋଇଥାଏ।