ବାଲେଶ୍ୱରରେ ପହଞ୍ଚିଲେ ୫ ଜିଲ୍ଲାର ତୀର୍ଥଯାତ୍ରୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବରିଷ୍ଠ ନାଗରିକ ତୀର୍ଥଯାତ୍ରା। ବାଲେଶ୍ୱରରେ ପହଞ୍ଚିଲେ ୫ ଜିଲ୍ଲାର ତୀର୍ଥଯାତ୍ରୀ। ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା- ୨୦୨୩-୨୪ ଅନ୍ତର୍ଗତ ଆଜି ପୂର୍ବାହ୍ନ ଘ. ୩ ଟା ସମୟରେ ପର୍ଯ୍ୟାୟ କ୍ରମେ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଓ ଯାଜପୁର ଆଦି ୫ ଟି ଜିଲ୍ଲାର ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ବାଲେଶ୍ୱରର ପଦ୍ମାବତୀ ପାର୍କଠାରେ ପହଞ୍ଚିଛନ୍ତି |

ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକଙ୍କ ତତ୍ତ୍ୱାବଧାନରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀଙ୍କ ପଞ୍ଜିକରଣ ଓ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସେମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା | ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ମହାତ୍ମା ଗାନ୍ଧୀ ସମ୍ମିଳନୀ କକ୍ଷଠାରେ ଶ୍ରୀ ନାୟକ ସାମ୍ବାଦିକ ସମ୍ମିଳନୀ କରି ଆସନ୍ତା ୨ ତାରିଖରେ ହେବାକୁ ଥିବା ଯାତ୍ରା ତଥା ତତ୍ ସମ୍ବନ୍ଧିତ କାର୍ଯ୍ୟକ୍ରମର ବିସ୍ତୃତ ବିବରଣୀ ଦେଇଛନ୍ତି | ବାଲେଶ୍ୱରର ୨୨୬ ଜଣ, ଭଦ୍ରକର ୧୪୬ ଜଣ, ମୟୂରଭଞ୍ଜର ୨୪୫ ଜଣ, କେନ୍ଦୁଝରର ୧୭୫ ଜଣ ଓ ଯାଜପୁରର ୧୭୮ ଜଣ ଆଦି ୫ ଟି ଜିଲ୍ଲାର ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଏହି ଯାତ୍ରାରେ ଯୋଗ ଦେଉଛନ୍ତି | ବରିଷ୍ଠ ନାଗରିକଙ୍କ ପଞ୍ଜିକରଣ ଓ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଛି | ମାର୍ଚ୍ଚ ୨ ତାରିଖ ଦିନ ସକାଳ ପ୍ରାୟ ଘ. ୧୧.୩୦ ମି ସମୟରେ ବାଲେଶ୍ଵର ରେଳ ଷ୍ଟେସନ ଠାରୁ ତୀର୍ଥଯାତ୍ରୀମାନେ ଆଗ୍ରା-ମଥୁରା ଅଭିମୁଖେ ଯାତ୍ରା କରିବେ |

ଏହି ଯୋଜନା ଅନ୍ତର୍ଗତ ୯୭୦ ଜଣ ବରିଷ୍ଠ ତୀର୍ଥଯାତ୍ରୀ ଓ ସମ୍ମିଳିତ ଜିଲ୍ଲାଗୁଡିକର ୩୦ ଜଣ ଏସ୍କର୍ଟ ଅଧିକାରୀ ରେଳ ବିଭାଗ ଯୋଗାଇଦେଉଥିବା ସ୍ୱତନ୍ତ୍ର ରେଳ ଯୋଗେ ଯାତ୍ରା କରିବେ | ସରକାରୀ ଭାବେ ସେମାନଙ୍କର ରହଣି, ଖାଦ୍ୟପାନୀୟ ଆଦିର ବ୍ୟବସ୍ଥା ସହ ଆମୋଦ ନିମନ୍ତେ ଭଜନ ସନ୍ଧ୍ୟାର ଆୟୋଜନ କରାଯାଇଛି | ସୂଚନା ଯୋଗ୍ୟ ଯେ ରାଜ୍ୟରେ ଆର୍ଥିକ ଅନଗ୍ରସର ଓ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ବରିଷ୍ଠ ନାଗରିକମାନଙ୍କୁ ସେମାନଙ୍କର ଆଧ୍ୟାତ୍ମିକ ଆକାଂକ୍ଷା ପୂରଣ ନିମନ୍ତେ ରାଜ୍ୟ ସରକାର ୨୦୧୬ ମସିହାରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପ୍ରଣୟନ କରି ସେମାନଙ୍କୁ ଦେଶର ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣର ସୁଯୋଗ ପ୍ରଦାନ କରିଆସୁଛନ୍ତି । ଏହି ଯୋଜନାରେ ୬୦ ରୁ ୭୫ ବର୍ଷ ବୟସ୍କ ନାଗରିକମାନଙ୍କୁ ଜାତି ଧର୍ମ ନିର୍ବିଶେଷରେ ଚୟନ କରାଯାଉଅଛି । ଏହି ଯାତ୍ରା ସହ ଶେଷ ହେଉଛି ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା- ୨୦୨୩-୨୪ ଅନ୍ତର୍ଗତ ୧୦ଟି ତୀର୍ଥଯାତ୍ରା  |

Leave A Reply

Your email address will not be published.