ଆଇଏଏସ ପଦ ହରାଇଲେ ପୂଜା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବିବାଦ ଘେରରେ ରହିଥିବା ଆଇଏଏସ୍‌ ପୂଜା ଖେଡ୍‌କରଙ୍କ ବିରୋଧରେ ୟୁପିଏସ୍‌ସି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବର୍ତ୍ତମାନ ସେ ଆଉ ଆଇଏଏସ୍‌ ରହିବେ ନାହିଁ। ୟୁପିଏସ୍‌ସି ପୂଜାଙ୍କୁ ଭବିଷ୍ୟତରେ କୌଣସି ପରୀକ୍ଷା କିମ୍ବା ଚୟନରେ ହାଜର ହେବାରେ ବି ରୋକ୍‌ ଲଗାଇଛି। ପୂଜା ଏଣିକି ଆଉ ଆଇଏଏସ ନୁହନ୍ତି। ଆଜି ୟୁପିଏସ ତରଫରୁ ତାଙ୍କର ପ୍ରୋଭିଜନାଲ ପ୍ରାର୍ଥିତ୍ୱ ବା ଆଇଏଏସ୍‌ ମନୋନୟନକୁ ବାତିଲ କରି ଦିଆଯାଇଛି।

ନକଲି ପରିଚୟପତ୍ର ସହ ସେ ଏକାଧିକ ଥର ପରୀକ୍ଷାରେ ଅଂଶଗ୍ରହଣ କରିଥିବାରୁ ତାଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପୁଣେରେ ଟ୍ରେନି ଆଇଏଏସ୍‌ ଭାବେ ଯୋଗ ଦେଇଥିବା ପୂଜା ନିଜ କ୍ଷମତାର ଅପବ୍ୟବହାର କରିଥିଲେ। ଏଥିସହ ସେ ତାଙ୍କ ଦିବ୍ୟାଙ୍ଗ ଓ ପଛୁଆ ବର୍ଗର ସଂରକ୍ଷଣ ବ୍ୟବସ୍ଥାରେ ମଧ୍ୟ ହେରଫେର କରିଥିବା ଅଭିଯୋଗ ହୋଇଛି। ପ୍ରମାଣପତ୍ରରେ ହେରଫେର କରି ସେ ୟୁପିଏସ୍‌ସି ପରୀକ୍ଷାରେ କୃର୍ତ୍ତକାର୍ଯ୍ୟ ହୋଇଥିଲେ ବୋଲି ଅଭିଯୋଗ ଆସିବା ପରେ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତ ବେଳେ ୟୁପିଏସ୍‌ ପକ୍ଷାରୁ ପୂଜାଙ୍କ ପ୍ରାର୍ଥିତ୍ୱର ଯାଞ୍ଚ ବିସ୍ତୃତ ଭାବେ କରାଯାଇଥିଲା।

ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ ୟୁପିଏସ୍‌ସି ଉପଲବ୍ଧ ଥିବା ରେକର୍ଡକୁ ଯତ୍ନର ସହ ଯାଞ୍ଚ କରିଥିଲା। ଏଥିରୁ ଜଣାପଡ଼ିଛି ଯେ ସିଏସ୍‌ଇ-୨୦୨୨ ନିୟମରେ ଥିବା ପ୍ରାବଧାନକୁ ସେ ଉଲ୍ଲଙ୍ଘନ କରିଛନ୍ତି। ଏଥିପାଇଁ ତାଙ୍କ ୨୦୨୨ ସିଏସଇ ପ୍ରୋଭିଜନାଲ ପ୍ରାର୍ଥିତ୍ୱକୁ ରଦ୍ଦ କରାଯାଉଛି। ଯେଉଁଥିରେ ୧୫ ହଜାରରୁ ଅଧିକ ପ୍ରାର୍ଥୀ ଅନ୍ତର୍ଭୁକ୍ତ ହୋଇଥିଲେ। ସୂଚନାଯୋଗ୍ୟ, ପୂଜାଙ୍କ ବିରୋଧରେ ଠକେଇ ଅଭିଯୋଗ ହୋଇଛି। ବୁଧବାର ପୂଜାଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଉପରେ ଶୁଣାଣି ଦିଲ୍ଲୀ କୋର୍ଟରେ ଅନୁଷ୍ଠିତ ହୋଇଥିଲା। କୋର୍ଟଙ୍କ ଶୁଣାଣି ପରେ ଏହା ଏହାର ନିଷ୍ପତ୍ତି ସଂରକ୍ଷିତ ରଖିଛି। ଅଗଷ୍ଟ ୧ରେ କୋର୍ଟ ନିଜର ରାୟ ଶୁଣାଇବେ।

Leave A Reply

Your email address will not be published.