ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କେନ୍ଦ୍ରାପଡ଼ାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ପାଇଁ ଜିଲ୍ଲା ପ୍ରଶାସନର ପ୍ରାକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ଣ ୪ଘଟିକା ସମୟରେ କେନ୍ଦ୍ରାପଡ଼ା ପୌରପାଳିକା ଟାଉନହଲ୍ ପରିସରରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମାନ୍ୟବର ବିଧାୟକ, କେନ୍ଦ୍ରାପଡ଼ା ଶ୍ରୀଯୁକ୍ତ ଗଣେଶ୍ଵର ବେହେରା, ମାନ୍ୟବର ବିଧାୟକ, ରାଜନଗର, ଶ୍ରୀଯୁକ୍ତ ଧ୍ରୁବ ଚରଣ ସାହୁ, ମାନ୍ୟବର ବିଧାୟକ, ମହାକାଳପଡ଼ା ଡ. ଦୂର୍ଗା ପ୍ରସନ୍ନ ନାୟକ, ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ, କେନ୍ଦ୍ରାପଡ଼ା ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସରିତା ସାହୁ, ଅତରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ନିଲୁ ମହାପାତ୍ର, ଉପଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ର କୁମାର ପ୍ରଧାନ, ମାନ୍ୟବର କେନ୍ଦ୍ରାପଡ଼ା ଲୋକସଭା ସାଂସଦ, କେନ୍ଦ୍ରାପଡ଼ାଙ୍କ ପ୍ରତିନିଧି ସାଲିମ ଖାନ ପ୍ରମୂଖ ଉପସ୍ଥିତ ଥିଲେ ।
ଉପଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ର କୁମାର ପ୍ରଧାନ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ଶାନ୍ତିଶୃଙ୍ଖଳା ସହିତ ଗଜଲକ୍ଷ୍ମୀ ପୂଜା ଆୟୋଜନ ନିମନ୍ତେ ଉପସ୍ଥିତ ଶାନ୍ତି କମିଟିର ସଭାପତି, ସମ୍ପାଦକ, ଉପସଭାପତି ଓ କର୍ମକର୍ତ୍ତାଙ୍କୁ ଅନୁରୋଧ କରିଥିଲେ । ଚଳିତବର୍ଷ ଉପଜିଲ୍ଲାପାଳଙ୍କଠାରୁ ପୂଜା କମିଟିମାନେ ଅନୁମତିପତ୍ର ସଂଗ୍ରହ କରିବାକୁ ବୈଠକରେ ସ୍ଥିର କରାଯାଇଛି । ଶୀଘ୍ର ଅନୁମତିପତ୍ର ଆବେଦନ କରିବାକୁ ଉପଜିଲ୍ଲାପାଳ ପ୍ରତ୍ୟେକ ମେଢ଼ର କର୍ମକର୍ତାଙ୍କୁ ଅନୁରୋଧ କରିଥିଲେ । ପୂଜା କମିଟିମାନେ ଯେପରି ସହଜରେ ଅନୁମତିପତ୍ର ପାଇବେ ସେ ଦିଗରେ ଯତ୍ନବାନ ହେବାକୁ ଉପଜିଲ୍ଲାପାଳ, ଫାୟାର୍ ଓ ଇଲେକ୍ଟ୍ରି ବିଭାଗକୁ ସମସ୍ତ ସହଯୋଗ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ୍ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ଆରକ୍ଷୀ ଅଧୀକ୍ଷକ ।
ପୂଜା ପୂର୍ବରୁ ରାସ୍ତାଘାଟ ଓ ଡ୍ରେନ୍ ମରାମତି କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ପୂଜା ସମୟରେ ନିରବଚ୍ଛନ୍ନ ଜଳଯୋଗାଣ ଓ ବିଦ୍ୟୁତ୍ ଯୋଗାଣ ଏବଂ ପରିମଳ ବ୍ୟବସ୍ଥା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଉକ୍ତ ବୈଠକରେ ରାସ୍ତା ଓ ଗୃହ ନିର୍ମାଣ, ଜନସ୍ୱାସ୍ଥ୍ୟ, ଟିପିସିଓଡିଏଲ୍, ଜଳସେଚନ ବିଭାଗ, ଅଗ୍ନିସମ ବିଭାଗ, ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ଗଣମାଧ୍ୟମର ପ୍ରତିନିଧି, ବୁଦ୍ଧିଜୀବୀ, ବିଭିନ୍ନ ମେଢ଼ର କର୍ମକର୍ତା, ଶାନ୍ତି କମିଟି ଓ ପୌରପରିଷଦର କାଉନ୍ସିଲ ଯୋଗ ଦେଇଥିଲେ ।