ଓଡ଼ିଆ ନ୍ୟୁଜ(ବ୍ୟୁରୋ): ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ ରେଳ ଷ୍ଟେସନରୁ ଆଜି ତିନିଟି ଟ୍ରେନର ଶୁଭାରମ୍ଭ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାଦାମପାହାଡ଼ ଟାଟା ନଗର ମେମୁ ଟ୍ରେନ, ବାଦାମପାହାଡ଼ ରାଉରକେଲା ସାପ୍ତାହିକ ଏକ୍ସପ୍ରେସ, ବାଦାମପାହାଡ଼ ସାଲିମାର ସାପ୍ତାହିକ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଆରମ୍ଭ କଲେ ରାଷ୍ଟ୍ରପତି । ଏହି ଟ୍ରେନ୍ ଗୁଡ଼ିକ ହେଲା ବାଦାମପାହାଡ଼- ଟାଟାନଗର ମେମୁ; ବାଦାମପାହାଡ଼-ରାଉରକେଲା ସାପ୍ତାହିକ ଏକ୍ସପ୍ରେସ୍ ଏବଂ ବାଦାମପାହାଡ଼ – ଶାଲିମାର ସାପ୍ତାହିକ ଏକ୍ସପ୍ରେସ।
ଏହି ଉଦଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳ, ଯୋଗାଯୋଗ ଓ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, କେନ୍ଦ୍ର ଜଳସଂପଦ ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ଓ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ। ଛାତ୍ରଛାତ୍ରୀ ମାନେ ରାଷ୍ଟ୍ରପତିଙ୍କୁ ଦେଖିବାକୁ ତାଙ୍କ ସହ ମିଶିବାକୁ ପହଞ୍ଚିଛନ୍ତି । କିଛି ଛାତ୍ରଛାତ୍ରୀ ଟ୍ରେନରେ ରାଷ୍ଟ୍ରପତିଙ୍କ ସହ ଯାତ୍ରା କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି | ସକାଳେ ପ୍ରଥମେ ରାଷ୍ଟ୍ରପତି ନିଜ ବାସଭବନରୁ ବାହାରି ପାହାଡ଼ପୁରକୁ ଯାଇ ସେଠାରେ ମୁର୍ମୁ ଛକରେ ତାଙ୍କ ସ୍ବାମୀ ସ୍ୱର୍ଗତ ଶ୍ୟାମଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ।
ଏହାପରେ ଏଲଆଣ୍ଡଟି ଦ୍ୱାରା ପରିଚାଳିତ ହେବାକୁ ଥିବା ଦକ୍ଷତା ବିକାଶ କେନ୍ଦ୍ରକୁ ଉଦଘାଟନ କରିଥିଲେ। ସେଠାରୁ ପାହାଡ଼ପୁରରେ ନିଜେ ଗଢ଼ିଥିବା ଏସଏଲଏସ୍ ଆବାସିକ ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀମାନଙ୍କ ସହିତ ଭାବ ବିନିମୟ କରିଥିଲେ। ରାଷ୍ଟ୍ରପତି ମୟୂରଭଞ୍ଜର ରାଇରଙ୍ଗପୁରର ଦାଣ୍ଡବୋଷ ହେଲିପ୍ୟାଡ୍ରୁ ମଙ୍ଗଳବାର ପୂର୍ବାହ୍ଣ ୧୧ଟା ୫୫ରେ ବାହାରି ଅପରାହ୍ଣ ୧ଟା ୧୦ରେ ବୁର୍ଲାସ୍ଥିତ ଏମ୍ସିଏଲ୍ ହେଲିପ୍ୟାଡ୍ରେ ଓହ୍ଲାଇବେ। ଏମ୍ସିଏଲ୍ ଗେଷ୍ଟ ହାଉସ୍ରେ ମଧ୍ୟାହ୍ନ ଭୋଜନ ପରେ ସେଠାରୁ ସାଢ଼େ ୩ଟାରେ ଭିସୁଟ୍ ଅଭିମୁଖେ ଯିବେ।