ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସରକାର ଓ ଦଳ ପାଇଁ ସେ ବହୁ ମୁଲ୍ୟବାନ ଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ନବ ଦାସଙ୍କ ପରଲୋକ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ନବଙ୍କ ଜୀବନ ବଞ୍ଚାଇବା ପାଇଁ ଅକ୍ଳାନ୍ତ ଉଦ୍ୟମ କରିଥିଲେ । ଡାକ୍ତରଙ୍କ ପ୍ରଚେଷ୍ଟା ସତ୍ତ୍ୱେ ନବଙ୍କ ପରଲୋକ ହୋଇଛି । ସ୍ୱାସ୍ଥ୍ୟ ବିଭାଗରେ ଲୋକଙ୍କ ଉପକାର ପାଇଁ ସେ ବହୁ ପଦକ୍ଷେପ ନେଇଛନ୍ତି । ବିଜୁ ଜନତା ଦଳକୁ ସୁଦୃଢ଼ କରିବାରେ ମୁଖ୍ୟ ଭୂମିକା ରହିଛି । ନବ ତୃଣମୂଳସ୍ତରରେ ନେତା ଥିଲେ । ଦଳମତ ନିର୍ବିଶେଷରେ ସମସ୍ତେ ତାଙ୍କୁ ଭଲ ପାଉଥିଲେ । ନବ ଦାସଙ୍କ ପରଲୋକ ରାଜ୍ୟ ପାଇଁ ବଡ଼ କ୍ଷତି । ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।
ସେହିପରି କେନ୍ଦ୍ର ଶିକ୍ଷା ମନ୍ତ୍ରର ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ବ୍ରଜରାଜନଗରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ସମୟରେ ତାଙ୍କୁ ଗୁଳିମାଡ ପରେ ହସ୍ପିଟାଲରେ ସେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହେବା ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ତାଙ୍କ ସହ ଯେଉଁ ଭଳି ଘଟଣା ଘଟିଛି, ଏହା ମୋତେ ବ୍ୟଥିତ କରିଛି ।
ଜନପ୍ରତିନିଧି ଭାବରେ ତାଙ୍କର କାର୍ଯ୍ୟ ସ୍ମରଣୀୟ ହୋଇ ରହିବ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି । ଏହି ଦୁଃଖଦ ସମୟରେ ମହାପ୍ରଭୁ ଜଗନ୍ନାଥ ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ।
ସ୍ୱାସ୍ଥ୍ୟ ମନ୍ତ୍ରୀ ନବଦାସଙ୍କ ଦୁଃଖଦ ପରଲୋକରେ ରାଜ୍ୟପାଳ ଗଭୀର ଶୋକ ପ୍ରକାଶ କରି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି।
ସେହିପରି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକରେ ପିସିସି ସଭାପତି ଶରତ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।
ପୋଲିସ ଅଧିକାରୀଙ୍କ ଗୁଳିକାଣ୍ଡରେ ଜଣେ ମନ୍ତ୍ରୀଙ୍କ ମୃତ୍ୟୁ ଘଟିବା ଓଡିଶାରେ ପ୍ରଥମ।ଏପରି ଏକ ଉନ୍ମତ୍ତ କାଣ୍ଡ ଯେତିକି ଦୁଃଖଦାୟକ ସେତିକି ଚିନ୍ତାଜନକ। ଏହି ଅଭାବନୀୟ ଘଟଣାର ତଦନ୍ତ କାର୍ଯ୍ୟ ସରକାର ଅବିଳମ୍ବେ ଶେଷ କରନ୍ତୁ ଓ ତଦନ୍ତ ରିପୋର୍ଟ ସର୍ବସାଧାରଣ ରେ ପ୍ରକାଶ କରନ୍ତୁ। ଏଥିସହ ଘରୋଇ ମନ୍ତ୍ରୀ ଭାବରେ ଉତ୍ତରଦାୟିତ୍ୱ ମୁଖ୍ୟମନ୍ତ୍ରୀ ନିଅନ୍ତୁ ବୋଲି ପିସିସି ସଭାପତି ଆହ୍ୱାନ ଦେଇଛନ୍ତି।