ଇଜିପ୍ଟର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ୍‌ ଦ ନାଇଲ୍‌’ରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଇଜିପ୍ଟ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତାଙ୍କୁ ଇଜିପ୍ଟର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ୍‌ ଦ ନାଇଲ୍‌’ରେ ସମ୍ମାନିତ କରାଯାଇଛି। ଇଜିପ୍ଟ ରାଷ୍ଟ୍ରପତି ଅବଦଲ ଫତେହ ଅଲସିସି ରବିବାର କାଏରୋସ୍ଥିତ ପ୍ରେସିଡେନ୍ସୀଠାରେ ଅନୁଷ୍ଠିତ ଏକ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଥିଲେ। ପ୍ରଥମ ଭାରତୀୟ ଭାବେ ପ୍ରଧାନମନ୍ତ୍ରୀ ମୋଦୀ ଏହି ସମ୍ମାନ ପାଇଛନ୍ତି। ପରେ ପ୍ରଧାନମନ୍ତ୍ରୀ ଓ ଇଜିପ୍ଟ ରାଷ୍ଟ୍ରପତିଙ୍କ ମଧ୍ୟରେ ବିଭିନ୍ନ ବିଷୟରେ ଆଲୋଚନା ହୋଇଛି।

ଗତ ଜାନୁଆରୀରେ ହୋଇଥିବା ଗଣତନ୍ତ୍ର ଦିବସ ସମାରୋହରେ ରାଷ୍ଟ୍ରପତି ଅଲ୍‌ ସିସି ଅତିଥି ହୋଇଥିବାବେଳେ ସେହି ଦିନକୁ ସ୍ମରଣ କରିଛନ୍ତି ଉଭୟ ନେତା। ଭାରତ-ଇଜିପ୍ଟ ଦ୍ୱିପାକ୍ଷିକ ସମ୍ପର୍କ ତ୍ୱରାନ୍ୱିତ ହେବା ସହ ଏହାକୁ ଗତିଶୀଳ କରିବା ଲାଗି ଇଜିପ୍ଟ କ୍ୟାବିନେଟ୍‌ରେ ପ୍ରତିଷ୍ଠା କରାଯାଇଥିବା ‘ଇଣ୍ଡିଆ ୟୁନିଟ୍‌’ ବିଶେଷ ଉପଯୋଗୀ ହୋଇଥିବା ନେଇ ସେମାନେ ସହମତ ହୋଇଥିଲେ।

ଦୁଇ ଦେଶ ମଧ୍ୟରେ  ବାଣିଜ୍ୟ ଓ ନିବେଶ, ସୂଚନା ପ୍ରଯୁକ୍ତି, ପ୍ରତିରକ୍ଷା ଓ ସୁରକ୍ଷା, ଅକ୍ଷୟ ଶକ୍ତି, କୃଷି, ସ୍ୱାସ୍ଥ୍ୟ ସଂସ୍କୃତି ଓ ନାଗରିକ ସମ୍ପର୍କ ଭଳି କ୍ଷେତ୍ରରେ ସହଭାଗିତାକୁ ଆହୁରି ନିବିଡ଼ କରିବା ନେଇ ଦୁଇ ନେତା ଆଲୋଚନା କରିଥିଲେ । ଜି-୨୦ରେ ଅଧିକ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଅଲ୍‌ ସିସି ଆଲୋଚନା କରିଥିଲେ। ଏହି ପରିପ୍ରେକ୍ଷୀରେ ସେମାନେ ଖାଦ୍ୟ ଓ ଇନ୍ଧନ ଅସୁରକ୍ଷା, ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଆଲୋକପାତ କରିଥିଲେ। ଆସନ୍ତା ସେପ୍ଟେମ୍ବର ମାସରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜି୨୦ ନେତାମାନଙ୍କ ଶିଖର ସମ୍ମିଳନୀରେ ରାଷ୍ଟ୍ରପତି ଅଲ ସିସିଙ୍କୁ ସ୍ୱାଗତ କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀ ନିଜର ଇଚ୍ଛା ପ୍ରକଟ କରିଥିଲେ ।

ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତି ଆଣି ଉଭୟ ରାଷ୍ଟ୍ର ମଧ୍ୟରେ ‘ରଣନୀତିକ ସହଭାଗିତା’ ପ୍ରତିଷ୍ଠା ନିମନ୍ତେ ଦୁଇ ନେତା ଏକ ରାଜିନାମାରେ ସ୍ୱାକ୍ଷର କରିଥିଲେ । କୃଷି, ପ୍ରତ୍ନତତ୍ତ୍ୱ ଓ ବିରଳ କିର୍ତ୍ତୀରାଜି ଏବଂ ପ୍ରତିଯୋଗିତା ମୂଳକ ଆଇନ କ୍ଷେତ୍ରରେ ତିନୋଟି ବୁଝାମଣାପତ୍ର ମଧ୍ୟ ସ୍ୱାକ୍ଷରିତ ହୋଇଥିଲା। ଇଜିପ୍ଟ ପ୍ରଧାନମନ୍ତ୍ରୀ ମୋସ୍ତାଫା ମାଡବୌଲୀ ଏବଂ ମନ୍ତ୍ରିମଣ୍ଡଳର ଅନ୍ୟ ବରିଷ୍ଠ କ୍ୟାବିନେଟ ମନ୍ତ୍ରୀମାନେ ଉପସ୍ଥିତ ଥିଲେ । ଭାରତ ପକ୍ଷରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ, ଏନଏସଏ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ପରେ ପ୍ରଧାନମନ୍ତ୍ରୀ କାଇରୋରେ ଥିବା ହେଲିଓପଲିସ୍ କମନୱେଲଥ ଯୁଦ୍ଧ କବର ସ୍ଥଳୀ ପରିଦର୍ଶନ କରିଥିଲେ । ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଇଜିପ୍ଟ ଏବଂ ଆଡେନରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ୪୩୦୦ ରୁ ଅଧିକ ବୀର ଭାରତୀୟ ସୈନିକଙ୍କୁ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Leave A Reply

Your email address will not be published.