ଓଡ଼ିଆ ନ୍ୟୁଜ୍: ଚାଷୀଙ୍କୁ ସମବାୟ ସହାୟତା ପାଇବାରେ ସମସ୍ୟା। ଚାଷୀଙ୍କୁ ସମବାୟ ସହାୟତା ପାଇବାରେ ସମସ୍ୟା। ସେମାନେ ମୁଖ୍ୟତଃ ବ୍ଲକ ଅଧୀନରେ ଥିବା ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ଓ ଲ୍ୟାମ୍ପ୍ସର ଦୈନନ୍ଦିନ କାର୍ଯ୍ୟକଳାପ, ଆୟ-ବ୍ୟୟର ହିସାବ, ନଥିପତ୍ରର ନିୟମିତ ତଦାରଖ କରିଥାନ୍ତି। ଏହାସହ ଗ୍ରାମାଞ୍ଚଳର ଚାଷୀମାନଙ୍କୁ ସଠିକ୍ ସମୟରେ କୃଷିଋଣ, ସାର, ବିହନ, କୃଷି ସରଞ୍ଜାମ ଉପରେ ମିଳୁଥିବା ସରକାରୀ ରିହାତି ଯୋଗାଇବା ତଥା ମଣ୍ଡିରେ ଧାନସଂଗ୍ରହ ଓ ଚାଷୀ ପଞ୍ଜୀକରଣ ପ୍ରକ୍ରିୟାକୁ ଶୃଙ୍ଖଳିତ କରିବା ସହ ସମବାୟ ସମିତି ସମ୍ପର୍କିତ ଚାଷୀଙ୍କ ଅଭିଯୋଗର ସମାଧାନ କରିଥାନ୍ତି। କିନ୍ତୁ ଓଡ଼ିଶାର ସମସ୍ତ ବ୍ଲକରେ ସିଇଓ ପଦବି ଦୀର୍ଘ ବର୍ଷ ହେଲା ଖାଲିପଡ଼ିଥିବାରୁ ଚାଷୀକୁଳ ଯାବତୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଏହି କ୍ରମରେ ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ୧୭ଟି ବ୍ଲକରେ ସିଇଓ ପଦବି ଖାଲିପଡ଼ିଛି। ଫଳରେ ଜିଲ୍ଲାର ଚାଷୀ ସରକାରୀ ଯୋଜନା ଓ ସମବାୟ ସୁବିଧା ପାଇବାରେ ହଇରାଣ ହରକତ ହେଉଛନ୍ତି। ପାନପୋଷ ସହକାରୀ ନିବନ୍ଧକ ସମବାୟ ସମିତି ଅନ୍ତର୍ଗତ କୁଆରମୁଣ୍ଡା ବ୍ଲକରେ ଗତ ୪ ବର୍ଷ ହେଲା ଏହି ପଦବି ଖାଲିପଡ଼ିଥିବାବେଳେ ନୂଆଗାଁରେ ୧୧ ବର୍ଷ, ବିଶ୍ରାରେ ୧୬ ବର୍ଷ ଓ ଲାଠିକଟାରେ ୧୧ ବର୍ଷ ହେଲା ଖାଲିପଡ଼ିଛି।
ସେହିଭଳି ସୁନ୍ଦରଗଡ଼ ସହକାରୀ ନିବନ୍ଧକ ସମବାୟ ସମିତି ଅନ୍ତର୍ଗତ ଲେଫ୍ରିପଡ଼ା ବ୍ଲକରେ ୭ ବର୍ଷ, ହେମଗିରରେ ୧୦ ବର୍ଷ, ରାଜଗାଙ୍ଗପୁରରେ ୧୦ ବର୍ଷ, କୁତ୍ରାରେ ୧୭ ବର୍ଷ, ସୁନ୍ଦରଗଡ଼ ସଦର ବ୍ଲକରେ ୩ ବର୍ଷ, ବଡ଼ଗାଁରେ ୧୦ ବର୍ଷ, ସବଡେଗାରେ ୩ ବର୍ଷ, ବାଲିଶଙ୍କରାରେ ୧୦ ବର୍ଷ, ଟାଙ୍ଗରପାଲିରେ ୫ ବର୍ଷ ହେଲା ଖାଲିପଡ଼ିଥିବାବେଳେ ବଣାଇ ସହକାରୀ ନିବନ୍ଧକ ସମବାୟ ସମିତି ଅନ୍ତର୍ଗତ ଲହୁଣିପଡ଼ାରେ ୧୧ ବର୍ଷ, କୋଇଡ଼ାରେ ୧୨ ବର୍ଷ, ବଣାଇରେ ୧୫ ବର୍ଷ ଏବଂ ଗୁରୁଣ୍ଡିଆ ବ୍ଲକରେ ୧୫ ବର୍ଷ ହେଲା ଏହି ଗୁରୁତ୍ବପୂର୍ଣ୍ଣ ପଦବି ଖାଲିପଡ଼ିଛି। ଅବଶ୍ୟ, ସମବାୟ ବିଭାଗ ଅଧୀନରେ ଜିଲ୍ଲାସ୍ତରରେ ଥିବା ଉପନିବନ୍ଧକ ଓ ସହାକାରୀ ଉପନିବନ୍ଧକ କାର୍ଯ୍ୟାଳୟରେ କାର୍ଯ୍ୟରତ ସମବାୟ ନିରୀକ୍ଷକ ଓ ଉପ ସହକାରୀ ନିବନ୍ଧକମାନେ ନିଜନିଜ କାର୍ଯ୍ୟ ସହ ବିଭିନ୍ନ ବ୍ଲକରେ ଏରିଆ ଅଫିସର ଭାବେ ସମବାୟ ସମ୍ପ୍ରସାରଣ ଅଧିକାରୀଙ୍କ ଦାୟିତ୍ବ ତୁଲାଉଛନ୍ତି। କିନ୍ତୁ ଅଧିକାରୀଙ୍କ ଅନୁପସ୍ଥିତି ଯୋଗୁ ଜିଲ୍ଲାର ହଜାର ହଜାର ଚାଷୀ ସରକାରୀ ରିହାତି, କୃଷି ଋଣ, ସମବାୟ ସହାୟତା ପାଇବାରେ ସମସ୍ୟା ଭୋଗୁଛନ୍ତି।