ରାମ ମନ୍ଦିର ଦାନ ଚୋରି ମାମଲା: ସୋମବାର ସୁପ୍ରିମକୋର୍ଟରେ ଦାଖଲ ହୋଇପାରେ ଅନ୍ତରୀଣ ରିପୋର୍ଟ

0

ଓଡ଼ିଆ ନ୍ୟୁଜ୍: ରାମ ମନ୍ଦିର ଦାନ ଚୋରି ମାମଲାରେ ସୋମବାର ସୁପ୍ରିମକୋର୍ଟରେ ଦାଖଲ ହୋଇପାରେ ଅନ୍ତରୀଣ ରିପୋର୍ଟ। ଅଯୋଧ୍ୟା ସ୍ଥିତ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଦାନ ହେରଫେର ଘଟଣା। ଏହାର ତଦନ୍ତ ପାଇଁ ଗଠିତ ସ୍ୱତନ୍ତ୍ର ତଦନ୍ତ ଟିମ୍‌ (SIT) ଆସନ୍ତା ସୋମବାର ସୁପ୍ରିମକୋର୍ଟରେ ନିଜର ଅନ୍ତରୀଣ ରିପୋର୍ଟ ଦାଖଲ କରି ପାରେ। ସରକାର ସର୍ବୋଚ୍ଚ କୋର୍ଟଙ୍କୁ ଏହି ତଦନ୍ତର ସ୍ଥିତି ବିଷୟରେ ଅବଗତ କରାଇବେ। ଏହା ମଧ୍ୟ କୁହାଯାଉଛି ଯେ, ଚୂଡ଼ାନ୍ତ ତଦନ୍ତ ପାଇଁ SIT ଅତିରିକ୍ତ ସମୟ ମାଗିଛି। ଶାସନ ସହ ଜଡ଼ିତ ସୂତ୍ରରୁ ପ୍ରକାଶ ଯେ, ତଦନ୍ତ ପ୍ରାୟ ଶେଷ ହୋଇ ସାରିଛି, କେବଳ କେତେକ ନିର୍ଦ୍ଦିଷ୍ଟ ପଏଣ୍ଟର ତଥ୍ୟ ଯାଞ୍ଚ କରାଯାଉଛି। ସୂତ୍ରାନୁସାରେ, SIT ନିଜର ତଦନ୍ତ ଶେଷ କରି ରିପୋର୍ଟର ଚିଠା ମଧ୍ୟ ପ୍ରସ୍ତୁତ କରି ସାରିଛି। ଏହା ମଧ୍ୟ କୁହାଯାଉଛି ଯେ, ଏହି ରିପୋର୍ଟକୁ ସରକାରଙ୍କୁ ହସ୍ତାନ୍ତର କରିବା ପରିବର୍ତ୍ତେ କିଛି ଦିନ ପାଇଁ ଅଟକାଇ ରଖା ଯାଇଛି, କାରଣ ସୋମବାର ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ସମ୍ମୁଖରେ ଏହି ତଦନ୍ତ ରିପୋର୍ଟ ଉପସ୍ଥାପନ କରିବେ। ଏହା ପରେ ହିଁ SIT ତାର ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିପାରେ।

ସୂତ୍ର ମୁତାବିକ , ଜୁଲାଇ ୨୦ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ତଦନ୍ତ ରିପୋର୍ଟ ଦାଖଲ କରାଯିବ। ଏହାପରେ ଏସଆଇଟି ନିଜର ଚୂଡାନ୍ତ ରିପୋର୍ଟ ଆନୁଷ୍ଠାନିକ ଭାବେ ସରକାରଙ୍କୁ ପ୍ରଦାନ କରିବ। ଏହି ରିପୋର୍ଟରେ ଅବହେଳା କରିଥିବା ଅଧିକାରୀମାନଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ, ସୁରକ୍ଷା ତଥା ପ୍ରକ୍ରିୟାଗତ ତ୍ରୁଟି ଗୁଡ଼ିକର ଚିହ୍ନଟ ଏବଂ ଶ୍ରୀରାମ ଜନ୍ମଭୂମି ମନ୍ଦିରର ଦାନ ବ୍ୟବସ୍ଥା, ସୁରକ୍ଷା ଓ ଅଡିଟ୍ ବ୍ୟବସ୍ଥାକୁ ଆହୁରି ସ୍ୱଚ୍ଛ ତଥା ସୁଦୃଢ଼ କରିବା ପାଇଁ ବ୍ୟାପକ ସଂସ୍କାରମୂଳକ ସୁପାରିଶ କରାଯିବାର ସମ୍ଭାବନା ରହିଛି। ରିପୋର୍ଟ ମିଳିବା ପରେ ରାଜ୍ୟ ସରକାର ଏଭଳି ଘଟଣାର ପୁନରାବୃତ୍ତି ରୋକିବା ପାଇଁ କୌଣସି ବଡ଼ ନିଷ୍ପତ୍ତି ନେଇ ପାରନ୍ତି।

ଉଲ୍ଲେଖନୀୟ ଯେ, ବିସ୍ତୃତ ତଦନ୍ତ ପାଇଁ ସରକାର ଜୁଲାଇ ୧୫ ପର୍ଯ୍ୟନ୍ତ ସମୟ ଦେଇ ଥିଲେ, ଯାହା ଏବେ ଶେଷ ହୋଇଛି। ଏହି ସମୟ ମଧ୍ୟରେ ସୁପ୍ରିମକୋର୍ଟ ଅନେକ ଆବେଦନ ଉପରେ ଶୁଣାଣି କରି ତଦନ୍ତ ରିପୋର୍ଟ ତଲବ କରିଛନ୍ତି। ସର୍ବୋଚ୍ଚ ଅଦାଲତରେ ଚାଲିଥିବା କାର୍ଯ୍ୟାନୁଷ୍ଠାନ ଯୋଗୁଁ ବର୍ତ୍ତମାନ ପାଇଁ ସାର୍ବଜନୀନ ବା ଆନୁଷ୍ଠାନିକ ଭାବେ ଏହି ରିପୋର୍ଟ ପ୍ରକାଶ କରାଯାଉ ନାହିଁ। ସରକାର ଗତ ଜୁନ୍ ୧୩ ତାରିଖରେ ତଦନ୍ତ ପାଇଁ ୩ ସଦସ୍ୟ ବିଶିଷ୍ଟ ଏହି ସ୍ୱତନ୍ତ୍ର ତଦନ୍ତ ଟିମ୍ (SIT) ଗଠନ କରି ଥିଲେ। ଏଥିରେ ଲକ୍ଷ୍ନୌ ମଣ୍ଡଳାୟୁକ୍ତ ବିଜୟ ବିଶ୍ୱାସ ପନ୍ତ, ଲକ୍ଷ୍ନୌ ଆଇଜି (IG) କିରଣ ଏସ୍. ଏବଂ ସ୍ୱତନ୍ତ୍ର ସଚିବ (ଅର୍ଥ) ନୀଲ୍ ରତନ ଅନ୍ତର୍ଭୁକ୍ତ ଅଛନ୍ତି।

ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦ୍ୱାରା ଦିଆଯାଉଥିବା ନଗଦ ଦାନ ଗଣତି ସମୟରେ ହୋଇଥିବା କଥିତ ଗବନର ତଦନ୍ତ ଦାୟିତ୍ୱ ଏହି କମିଟିକୁ ଦିଆଯାଇ ଥିଲା। SIT ଜୁନ୍ ୨୩ ତାରିଖରେ ରାଜ୍ୟ ସରକାରଙ୍କୁ ନିଜର ପ୍ରାରମ୍ଭିକ ରିପୋର୍ଟ ପ୍ରଦାନ କରି ଥିଲା। ଏହି ରିପୋର୍ଟ ଆଧାରରେ ଅଯୋଧ୍ୟା ପୁଲିସ ଜୁନ୍ ୨୫ରେ ୮ ଜଣ ଅଭିଯୁକ୍ତ – ରାମ ଶଙ୍କର ଯାଦବ ଓରଫ ଟିନ୍ନୁ, ସୁଭାଷ ଚନ୍ଦ୍ର ଶ୍ରୀବାସ୍ତବ, ମନୀଷ ଯାଦବ, ଅବିନାଶ ଶୁକ୍ଲା, ଅନୁକଳ୍ପ ମିଶ୍ର, ଲବକୁଶ ମିଶ୍ର, କରୁଣେଶ ପାଣ୍ଡେ ଏବଂ ରାମାଶଙ୍କର ମିଶ୍ରଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ପରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି।

ମାମଲାର ଗମ୍ଭୀରତାକୁ ଦେଖି ସରକାର SITର କାର୍ଯ୍ୟକାଳ ଜୁଲାଇ ୧ ପର୍ଯ୍ୟନ୍ତ ବଢ଼ାଇ ଦେଇ ଥିଲେ। ଏହି ସମୟ ମଧ୍ୟରେ କମିଟି କେବଳ ଦାନ ଚୋରି ଘଟଣା ମଧ୍ୟରେ ସୀମିତ ନରହି, ମନ୍ଦିରର ବ୍ୟବସ୍ଥାଗତ ଏବଂ ପ୍ରଶାସନିକ ତ୍ରୁଟିଗୁଡ଼ିକର ମଧ୍ୟ ଗଭୀର ଅନୁସନ୍ଧାନ କରିଛି। ସୂତ୍ର ଅନୁଯାୟୀ, ଚୂଡ଼ାନ୍ତ ରିପୋର୍ଟରେ ଦାନ ଗଣତି ପ୍ରକ୍ରିୟାର ସଠିକ୍ ପରିଚାଳନା, SOPର ଅନୁପାଳନ, ସିସିଟିଭି ବ୍ୟବସ୍ଥା, ସୁରକ୍ଷା ପରିଚାଳନା, ନଗଦ ଟଙ୍କା ଗଣତି ପ୍ରଣାଳୀ, ଦାୟିତ୍ୱରେ ଥିବା ଅଧିକାରୀଙ୍କ କର୍ତ୍ତବ୍ୟତା ଏବଂ ଗଣତି କାର୍ଯ୍ୟରେ ନିୟୋଜିତ ଆଉଟସୋର୍ସିଂ କର୍ମଚାରୀଙ୍କ ଭୂମିକାର ବିସ୍ତୃତ ସମୀକ୍ଷା କରାଯାଇଛି।  ରିପୋର୍ଟରେ ଏହା ମଧ୍ୟ ଆକଳନ କରାଯାଇଛି ଯେ, କେଉଁ ତ୍ରୁଟି ଯୋଗୁଁ ଏହି ଦାନ ଚୋରି ଧରାଯାଇ ପାରି ନଥିଲା। ଅନ୍ୟପଟେ, ଅଯୋଧ୍ୟା ପୁଲିସର ତଦନ୍ତ ମଧ୍ୟ ଜାରି ରହିଛି। ଅନେକ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରାଯାଇଛି। ଏହି ହେରଫେର ଟଙ୍କାର ଉତ୍ସ ଏବଂ ବ୍ୟବହାରର ସୂତ୍ର ଖୋଜୁଛି ପୁଲିସ।

Leave A Reply

Your email address will not be published.