ଡାଉନ ଉତ୍କଳ ଏକ୍ସପ୍ରେସ ଟ୍ରେନ ରହଣି ଦାବୀରେ ପ୍ରତୀକ ଆନ୍ଦୋଳନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଡାଉନ ଉତ୍କଳ ଏକ୍ସପ୍ରେସ ଟ୍ରେନ ରହଣି ଦାବୀରେ ଜଳେଶ୍ୱର ସମାଜ କଲ୍ୟାଣ ବିକାଶ ପରିଷଦ ପକ୍ଷରୁ ଷ୍ଟେସନ ପରିସରରେ ପ୍ରତୀକ ଆନ୍ଦୋଳନ | ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ରେଳଷ୍ଟେସନ ଓଡିଶା ପଶ୍ଚିମବଙ୍ଗ ସୀମାରେ ଅବସ୍ଥିତ | ଏହି ଷ୍ଟେସନ ଉପରେ ଜଳେଶ୍ୱର, ଭୋଗରାଇ, ବାଲିଆପାଳ, ବସ୍ତା ବ୍ଲକ ସହିତ ପୋଡଶୀ ପଶ୍ଚିମବଙ୍ଗ ରାଜ୍ୟର ପାଖାପାଖି ୩ଟି ବ୍ଲକ ଓ ମୟୁରଭଞ୍ଜ ଜିଲ୍ଲାର କିଛି ବ୍ଲକର ଲୋକ ନିର୍ଭର କରନ୍ତି |

ଏହି ଷ୍ଟେସନରେ ହାତଗଣତି କିଛି ଏକ୍ସପ୍ରେସ ଟ୍ରେନର ରହଣି ରହିଛି |ଡାଉନ ଉତ୍କଳ ଟ୍ରେନ ଦୀର୍ଘ ଧରି ରହିଆସୁଥିଲା ବେଳେ ମହାମାରୀ କରୋନା ପରଠାରୁ ରେଳବିଭାଗ ଏହାର ରହଣି ବାତିଲ କରିଛନ୍ତି |ଯାହାଫଳରେ ଏହା ଉପରେ ନିର୍ଭର କରୁଥିବା ଯାତ୍ରୀ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ତତ୍ ସହିତ ଷ୍ଟେସନରେ ଅନେକ ସମସ୍ୟା ରହିଛି | ଜଳେଶ୍ୱର ଅଂଚଳର ବିଭିନ୍ନ ସଂଗଠନ ପକ୍ଷରୁ ରେଳବିଭାଗ ଠାରୁ ଆରମ୍ଭ କରି ରେଳ ମନ୍ତ୍ରୀ, କେନ୍ଦ୍ରସରକାରଙ୍କୁ ଲିଖିତ ଦାବୀ କରି ଆସୁ ଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଜଳେଶ୍ୱର ସମାଜ କଲ୍ୟାଣ ବିକାଶ ପକ୍ଷରୁ ଶହ ଶହ ଲୋକ ଜଳେଶ୍ୱର ଷ୍ଟେସନ ପରିସରରେ ଆଜି ପ୍ରତୀକ ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଛି |

ଏହି ପ୍ରତୀକ ଆନ୍ଦୋଳନରେ ପୂର୍ବତନ ମନ୍ତ୍ରୀ ରଘୁମହାନ୍ତି, କଂଗ୍ରେସ ରାଜ୍ୟ ପ୍ରଵକ୍ତା ସୁଦର୍ଶନ ଦାସ, ଦିଲ୍ଲୀପ ଗିରି, ଜଳେଶ୍ୱର ପୂର୍ବତନ ବିଧାୟକ ଦେବୀ ପ୍ରଶନ୍ନ ଚନ୍ଦ ସହିତ ଜଳେଶ୍ୱର ଅଂଚଳର ବହୁ ବୁଦ୍ଧିଜୀବି ଓ ବରିଷ୍ଠ ନାଗରିକ ଉପସ୍ଥିତ ଥିବାର ଦେଖିବାକୁ ମିଳିଛି | ଯଦି ରେଳବିଭାଗ ଉକ୍ତ ଦାବୀ ମାନି ନ ନିଅନ୍ତି ତେବେ ଅଗାମୀଦିନରେ ରେଳରୋକ କରାଯିବ ବୋଲି ସମାଜ କଲ୍ୟାଣ ବିକାଶ ପରିଷଦ ସଦସ୍ୟ ମାନେ ଚେତାବନୀ ଦେଇଛନ୍ତି |

Leave A Reply

Your email address will not be published.