ସୁସ୍ଥ ହେଲେ ମହାପ୍ରଭୁ, ରାଜନଅରକୁ ଗଲା ବାର୍ତ୍ତା

0

ଓଡ଼ିଆ ନ୍ୟୁଜ୍: ସୁସ୍ଥ ହେଲେ ମହାପ୍ରଭୁ, ସୁସମ୍ବାଦ ନେଇ ରାଜନଅର ଗଲେ ସେବାୟତ।ଦଶମୂଳ ମୋଦକ ସେବନ ପରେ ଚତୁର୍ଦ୍ଧାମୂର୍ତ୍ତି ଏବେ ସଂପୂର୍ଣ୍ଣ ସୁସ୍ଥ । ଗଜପତି ମହାରାଜାଙ୍କୁ ଦିଆଗଲା ମହାପ୍ରଭୁଙ୍କ ସୁସ୍ଥତା ଖବର । ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ଗାଧୋଇବା ପରେ ଜ୍ୱରରେ ପୀଡିତ ହୋଇ ଅଣସରରେ ଅଛନ୍ତି ମହାପ୍ରଭୁ ।ସ୍ନାନପୂର୍ଣ୍ଣିମାରେ ମହାପ୍ରଭୁ ସ୍ନାନ ମଣ୍ଡପରେ ସୁବାସିତ ଜଳରେ ସ୍ନାନ କଲାପରେ ଜ୍ବରରେ ପୀଡିତ ହୋଇ ଅଣସର ଘରେ ରହିଥିଲେ । ଅଣସର ଘରେ ଚତୁର୍ଦ୍ଧାମୂରତିଙ୍କର ଗୁପ୍ତ ସେବା ହୋଇଥିଲା । ଅନେକ ସେବାସୁଶ୍ରୁଷା ପାଇ ଧୀରେ ଧୀରେ ମହାପ୍ରଭୁ ସୁସ୍ଥ ହେଉଛନ୍ତି । ଆଜି ଦ୍ୱାଦଶୀରେ ମହାପ୍ରଭୁଙ୍କ ସୁସ୍ଥତାର ଖବର ଆଦ୍ୟ ସେବକ ଗଜପତିଙ୍କୁ ପ୍ରଦାନ କରିବାକୁ ରାଜପ୍ରାସାଦ ଯାଇଛନ୍ତି । ଦଇତାପତି ସେବକ, ପତିମହାପାତ୍ର ସେବକ ମାନେ ଆଜି ରୁପା ଥାଳିରେ ଶ୍ରୀଜିଉଙ୍କ ଶ୍ରୀଅଙ୍ଗ ଚନ୍ଦନ, କରାଳ ଓ ପାଟଡୋର ନେଇ ଶ୍ରୀମନ୍ଦିରରୁ ଶ୍ରୀନହରକୁ ଯାଇଛନ୍ତି । ଗଜପତି ମହାରାଜାଙ୍କୁ ମହାପ୍ରଭୁଙ୍କର ସୁସ୍ଥତାର ବାର୍ତ୍ତା ଦେଇଛନ୍ତି ।  ଗତକାଲି ଏକାଦଶୀ ତିଥିରେ ଦଶମୂଳ ମୋଦକ ଲାଗି ହେବା ପରେ ସୁସ୍ଥ ହେଉଛନ୍ତି ଶ୍ରୀଜିଉ । ଦଶମୀରେ ଶଯ୍ୟା ଛାଡି ଅଣସର ଘରେ ଚକାରେ ବିଜେ ହୋଇଥିଲେ ଶ୍ରୀଜିଉ ।

ପଞ୍ଚମୀରେ ଫୁଲୁରି ତେଲ ଲାଗି ପରେ ଷଷ୍ଠୀରୁ ନବମୀ ଧରି ଶ୍ରୀଅଙ୍ଗରେ ଓଷ ଲାଗି ପରେ ଧୀରେ ଧୀରେ ଜ୍ୱରରୁ ଉପଶମ ହୋଇଛନ୍ତି ମହାପ୍ରଭୁ । ଖଳିଲାଗି ଏକାଦଶୀଠୁ ଠାକୁରମାନଙ୍କୁ ଖଳି ଲାଗି କରାଯାଇଛି । । ଦଇତା ଓ ପତିମହାପାତ୍ର ସେବାୟତ ତିନି ବାଡ଼ରେ ଶ୍ରୀଅଙ୍ଗରେ ଚନ୍ଦନ ଲେପନ କରିବେ । ଚନ୍ଦନରେ କର୍ପୂର , କେଶର ଓ ଆବଶ୍ୟକ ପରିମାଣର କସ୍ତୁରୀ ମିଶାଯାଇ ଶ୍ରୀବିଗ୍ରହ ମାନଙ୍କୁ ଲାଗି କରାଯିବାର ବିଧି ରହିଛି । ଅନ୍ୟ ଅର୍ଥରେ ଏଥର ରଥଯାତ୍ରା ପାଇଁ ତତ୍ପର ହେବାକୁ ଗଜପତିଙ୍କୁ ବାର୍ତ୍ତା ମିଳିଛି ।

Leave A Reply

Your email address will not be published.