ୱାଗନର ବିଦ୍ରୋହ ପରେ ଆହୁରି ଟାଣ ହେଲା ପୁଟିନଙ୍କ ହାତ ମୁଠା

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପ୍ରତି ଆହ୍ବାନ ସୃଷ୍ଟି କରିଥିବା ଘରୋଇ ସେନା ୱାଗନର ଗ୍ରୁପ୍ ଯୋଗୁ ଦେଶରେ ଗୃହଯୁଦ୍ଧ ପରି ପରିସ୍ଥିତି ଓ ଅସ୍ଥିରତା ସୃଷ୍ଟି ହେବା ଆଶଙ୍କା କରାଯାଉଥିଲା। କିନ୍ତୁ ବେଲାରୁଷ୍‌ର ମଧ୍ୟସ୍ଥତାରେ ଏହି ସଂକଟ ଟଳିଯାଇଛି। ତେବେ ଏହି ବିଦ୍ରୋହ ଯୋଗୁ ପୁଟିନଙ୍କ ହାତମୁଠା ଆହୁରି ଟାଣ ହୋଇଯାଇଥିବା ଭାରତୀୟ ସରକାରୀ ସୂତ୍ରର ଏକ ପର୍ଯ୍ୟବେକ୍ଷଣରୁ ଜଣାପଡ଼ିଛି।

ଏହି ପର୍ଯ୍ୟବେକ୍ଷଣ ଅନୁଯାୟୀ ରୁଷୀୟମାନେ ପୁଟିନଙ୍କ ପଛରେ ଅଧିକ ସଂଖ୍ୟାରେ ଠିଆ ହେବେ ଏବଂ ଦେଶରେ ତାଙ୍କର ଲୋକପ୍ରିୟତା ଆହୁରି ବୃଦ୍ଧି ପାଇବ। ୱାଗନର ଗ୍ରୁପ୍‌ର କାର୍ଯ୍ୟ ଦେଶ ପ୍ରତି ବିପଦ ବୋଲି ରୁଷ୍‌ବାସୀ ଅନୁଭବ କରିଛନ୍ତି। ସୂତ୍ର ଅନୁଯାୟୀ, ୱାଗନର ମୁଖ୍ୟ ୟେବଜେନି ପ୍ରିଗୋଝିନଙ୍କ ବିଦ୍ରୋହକୁ ନେଇ ପାଶ୍ଚାତ୍ୟ ଦେଶ ଓ ମିଡ଼ିଆ ଏକ ନ୍ୟାରେଟିଭ୍ (ଆଖ୍ୟାନ) ସୃଷ୍ଟି କରିପାରନ୍ତି କିନ୍ତୁ ଏହାପରେ ପୁଟିନ ଆହୁରି ଶକ୍ତିଶାଳୀ ହୋଇଉଠିବେ। ୱାଗନର ଗ୍ରୁପ୍ ମୁଖ୍ୟଙ୍କୁ ‌ବିଦ୍ରୋହୀ ଓ ତାଙ୍କର କାର୍ଯ୍ୟକୁ ଦେଶଦ୍ରୋହ ଭାବେ ଦେଖାଯିବ। ୟୁକ୍ରେନ୍‌ରେ ବାଖମୁଟ ସମେତ କେତେକ ସହର ଦଖଲ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପ୍ରିଗୋଝିନଙ୍କ ସେନା ବିନା ଯୁଦ୍ଧରେ ରୁଷ୍‌ର ଦକ୍ଷିଣ ସାମରିକ ଜିଲ୍ଲା ରୋସ୍ତଭ ଦଖଲ କରିନେଇଥିଲା,  ଏହାପରେ ସେମାନେ ମସ୍କୋ ଆଡ଼କୁ ଅଗ୍ରସର ହୋଇଥିଲେ।

କିନ୍ତୁ ବେଲାରୁଷ୍ ରାଷ୍ଟ୍ରପତିଙ୍କ ମଧ୍ୟସ୍ଥତାରେ ବିଦ୍ରୋହ ଓ ରକ୍ତପାତ ବନ୍ଦ କରିବାକୁ ପ୍ରିଗୋଝିନ ରାଜି ହୋଇଥିଲେ। ଶୁକ୍ରବାର ପ୍ରିଗୋଝିନ ଏକ ଭିଡ଼ିଓ ଜାରି କରି ୟୁକ୍ରେନ୍ ଆକ୍ରମଣ ସପକ୍ଷରେ ପୁଟିନଙ୍କ ଯୁକ୍ତିକୁ ପ୍ରତ୍ୟାଖ୍ୟାନ କରିବା ସହ ସାମରିକ ମୁଖ୍ୟଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ। ରୁଷ୍‌ର ଫେଡେରାଲ ସିକ୍ୟୁରିଟି ସର୍ଭିସ (ଏଫ୍‌ଏସ୍‌ବି) ପକ୍ଷରୁ ଏହାପରେ ୬୨ ବର୍ଷୀୟ ପ୍ରିଗୋଝିନଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇଥିଲା। ଶୁକ୍ରବାର ପ୍ରିଗୋଝିନ ଘୋଷଣା କରିଥିଲେ ଯେ, ତାଙ୍କ ସେନା ସୀମା ପାର ହୋଇ ୟୁକ୍ରେନ୍‌ରୁ ରୁଷ୍‌ ଭିତରେ ପ୍ରବେଶ କରିଛନ୍ତି। ରୁଷ୍ ସେନା ବିରୋଧରେ ଯୁଦ୍ଧ କରିବାକୁ ସେମାନେ ପ୍ରସ୍ତୁତ। ବିନା ଯୁଦ୍ଧରେ ସେମାନେ ରୋସ୍ତଭସ୍ଥିତ ସେନା ମୁଖ୍ୟାଳୟକୁ କବ୍‌ଜା କରିନେଇଛନ୍ତି ବୋଲି ପ୍ରିଗୋଝିନ ଘୋଷଣା କରିଥିଲେ।

ଏହାପରେ ଏକ ଟେଲିଭିଜନ ବାର୍ତ୍ତାରେ ରାଷ୍ଟ୍ରପତି ପୁଟିନ ପ୍ରିଗୋଝିନଙ୍କ କାର୍ଯ୍ୟକୁ ଦେଶଦ୍ରୋହ ଓ ପଛରୁ ଛୁରିକାଘାତ ବୋଲି ଅଭିହିତ କରିଥିଲେ। ତେବେ ବେଲାରୁଷ୍ ରାଷ୍ଟ୍ରପତିଙ୍କ ମଧ୍ୟସ୍ଥତାରେ ପ୍ରିଗୋଝିନଙ୍କ ଯୋଦ୍ଧାମାନେ ରୋସ୍ତଭସ୍ଥିତ ରୁଷ୍ ସାମରିକ ମୁଖ୍ୟାଳୟରୁ ଓହରି ଯାଇଥିଲେ।

Leave A Reply

Your email address will not be published.