ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଲଗାତାର ଦୁଇଟି ଲଘୁଚାପ ସୃଷ୍ଟି ହେବା ଦ୍ବାରା ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପୁଣିଥରେ ସକ୍ରିୟ ହୋଇଛି। ପ୍ରଭାବରେ ଅନୁଗୁଳ ଓ ନୂଆପଡ଼ା ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ଏବଂ ବରଗଡ଼, ରାୟଗଡ଼ା, ସୁବର୍ଣ୍ଣପୁର, ବଲାଙ୍ଗୀର, ନୟାଗଡ଼, ବୌଦ୍ଧ, ମାଲକାନଗିରି ଓ କଳାହାଣ୍ଡି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି।
ଆଭ୍ୟନ୍ତରୀଣ ଓଡ଼ିଶା ଓ ଛତିଶଗଡ଼ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଲଘୁଚାପ ପ୍ରଭାବରେ ରବିବାର ପଶ୍ଚିମ ଓଡ଼ିଶାର ପଦ୍ମପୁର, ସିନାପାଲି, ଡୁଙ୍ଗୁରିପାଲି, ବଲାଙ୍ଗୀର, ନୂଆପଡ଼ାରେ ୧୦ ସେ.ମି.ରୁ ଅଧିକ ବର୍ଷା ହୋଇଛି। ଅନ୍ୟପକ୍ଷରେ ମୌସୁମୀ ନିମ୍ନ ଚାପରେଖା ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶା, ଚାନ୍ଦବାଲି ଏବଂ ପୂର୍ବ-ଦକ୍ଷିଣପୂର୍ବରୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସୋମବାର ସକାଳ ସୁଦ୍ଧା କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ସମେତ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।
୨୩ ତାରିଖରେ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର ଏବଂ ୨୪ ତାରିଖରେ ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ବର୍ଷାର ପ୍ରଭାବ ରହିବ। ମୌସୁମୀ ବାୟୁ ସକ୍ରିୟ ରହିଥିବାରୁ ୨୩ ତାରିଖ ପର୍ଯ୍ୟନ୍ତ ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଓଡ଼ିଶା ଉପକୂଳରେ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ହୋଇପାରେ। ଜୁନ୍ ପହିଲାରୁ ଆଜି ମଧ୍ୟରେ ଓଡ଼ିଶାରେ ୪୩୪.୧ ମିମି ବର୍ଷା ହେବା କଥା। ମାତ୍ର ଏବେ ସୁଦ୍ଧା ୩୫୯.୫ ମିମି ବର୍ଷା ହୋଇଛି। ମାଲକାନଗିରିରେ ବହୁ ଅଧିକ ପରିମାଣର ବର୍ଷା ହୋଇଥିବା ବେଳେ ୧୩ଟି ଜିଲ୍ଲାରେ ସ୍ବାଭାବିକ ଓ ୧୬ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ସ୍ଥିତି ରହିଛି।