ରାମଲାଲଙ୍କ ପ୍ରତିଷ୍ଠା ଉପଲକ୍ଷେ ସାରା ଭାରତରେ ଉତ୍ସବ ମୁଖର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାମଲାଲଙ୍କ ପ୍ରତିଷ୍ଠା ଉପଲକ୍ଷେ ସାରା ଭାରତରେ ଉତ୍ସବ ମୁଖର ହୋଇ ଉଠିଛି | ରାମ ମନ୍ଦିର ନିର୍ମାଣରେ ବିଭିନ୍ନ ରାଜ୍ୟର ଯୋଗଦାନ ରହିଥିବା ବେଳେ, ଏବେ ମଧ୍ୟ ଦେଶର ବିଭିନ୍ନ ପ୍ରାନ୍ତରୁ ଛୁଟିଛି ପ୍ରଭୁଙ୍କ ପାଇଁ ବିଭିନ୍ନ ଦିବ୍ୟ ନୈବେଦ୍ୟ। ଏ ଭିତରେ କିଛି ରାମଭକ୍ତଙ୍କ ନେଇ ବି ଚର୍ଚ୍ଚା ଜୋର୍ ଧରିଛି। କିଏ ଶ୍ରୀରାମଙ୍କ ପାଇଁ ପାଦୁକା ତିଆରି ୭ ହଜାର କିଲୋମିଟର ପଦଯାତ୍ରା କରିଛି, ତ କିଏ ୩୦ ବର୍ଷର ମୌନବ୍ରତ ଭାଙ୍ଗିବାକୁ ଯାଉଛି | ସାରା ଦେଶରୁ ଅଯୋଧ୍ୟାକୁ ଛୁଟିଛି ଉପହାରର ସୁଅ।

ସୁନା-ରୁପାଠୁ ନେଇ ମନ୍ଦିର ପାଇଁ ଘଣ୍ଟି, ନାଗରା ଓ ଆଲମାରି। ରାମଲାଲାଙ୍କ ପାଇଁ ନୈବେଦ୍ୟ ପଠାଉଛି ସାରା ଭାରତ। ରାମଲାଲାଙ୍କ ଚରଣ ପାଦୁକା ୮ କେଜି ରୁପାରେ ତିଆରି, ଉପରେ ଲାଗିଛି ସୁନାର କୋଟିଂ। ଚିତ୍ରିତ ହୋଇଛି ଶଙ୍ଖ, ଚକ୍ର, ଗଦା, ପଦ୍ମ, ଧନୁତୀର ଓ ଅନ୍ୟ ଆୟୁଧ, ନନ୍ଦି, ଧ୍ୱଜା, ସୂର୍ଯ୍ୟ-ଚନ୍ଦ୍ର ଇତ୍ୟାଦି । ରାମାୟଣରେ ଭରତଙ୍କ ପାଦୁକା ପୂଜାର ଖୁବ୍ ମହତ୍ତ୍ୱ ଥିବା ବେଳେ, ଏବେ ରାମଲାଲାଙ୍କ ପାଇଁ ଏହି ପାଦୁକା ତିଆରି କରି ପୂଜା କରୁଛନ୍ତି ଜଣେ ପରିଣତ ବୟସ୍କ ଭକ୍ତ। ହାଇଦ୍ରାବାଦର ୬୪ ବର୍ଷୀୟ ଚଲ୍ଲା ଶ୍ରୀନିବାସ ଶାସ୍ତ୍ରୀ ଏହାକୁ ଧରି ଅଯୋଧ୍ୟା ଅଭିମୁଖେ ୭ ହଜାର ୨ଶହ କିଲୋମିଟର ପଦଯାତ୍ରା କରିଛନ୍ତି।ଆଉ ଅଯୋଧ୍ୟାଧିପତିଙ୍କ ପାଇଁ ମଥୁରାଧିପତିଙ୍କ ପାଖରୁ ଆସିଛି ଦିବ୍ୟ ଉପହାର। ମଥୁରାର ବାଙ୍କେବିହାରୀ ମନ୍ଦିର ପକ୍ଷରୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ପଠାଯାଇଛି ରୌପ୍ୟ ଜଡ଼ିତ ଶଙ୍ଖ, ରୁପାର ବଂଶୀ, ନାନା ଅଳଙ୍କାର, କେଶର ଓ ଅତର । ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଏହି ଶଙ୍ଖ ଫୁଙ୍କାଯିବ ବୋଲି ସୂଚନା ମିଳିଛି।

ସେହିପରି ଅଯୋଧ୍ୟା ରାମମନ୍ଦିରରେ ଗୁଞ୍ଜରିତ ହେବ ୨୪ ଶହ କିଲୋଗ୍ରାମ ଓଜନର ବିଶାଳ ଘଣ୍ଟିର ଶବ୍ଦ। ଉତ୍ତରପ୍ରଦେଶ ଇଟାହରୁ ଏହା ଅଯୋଧ୍ୟା ଆସିଥିବା ବେଳେ, ଏହାକୁ ତିଆରି କରିବାକୁ ଲାଗିଛି ୨ ବର୍ଷ । ଅନ୍ୟ ୭ଟି ଘଣ୍ଟିର ଓଜନ ୫୧ କିଲୋଗ୍ରାମ। ସେହିପରି ଅହମ୍ମଦାବାଦରୁ ଅଖିଳ ଭାରତୀୟ ଡମ୍ବଗର ସମାଜ ପଠାଇଛି ସାଢ଼େ ୪ କୁଇଣ୍ଟାଲ ଓଜନର ନାଗରା। ସେପଟେ ରାମଲାଲାଙ୍କ ରାଜବସ୍ତ୍ରକୁ ସୁରକ୍ଷିତ ରଖିବାକୁ ଆସୁଛି ଏହିସବୁ ଚିତ୍ରିତ ଆଲମାରି। ଏହାକୁ ପ୍ରୟାଗରାଜର ଲେଟେ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରି ଅଯୋଧ୍ୟାକୁ ପଠାଯାଇଛି। ଏହି ଆଲମାରି ସହ ହାଜି ଅସଲାମ ନାମକ ଜଣେ ରାମଭକ୍ତ ପ୍ରଭୁଙ୍କ ପାଇଁ କିଛି ଅଙ୍ଗବସ୍ତ୍ର ମଧ୍ୟ ପଠାଇଛନ୍ତି।

Leave A Reply

Your email address will not be published.