ବାଣୀକ୍ଷେତ୍ର ଘୋଷଯାତ୍ରା: ଛେରା ପହଁରା କଲେ ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଆଜି ଆଷାଢ଼ ଶୁକ୍ଲ ପକ୍ଷ ଦ୍ବିତୀୟା ତିଥିରେ ବାଣୀକ୍ଷେତ୍ରରେ ଭଗବାନ-ଭକ୍ତ-ରଥ-ପଥର ମହାମିଳନ ପର୍ବ ଅନୁଷ୍ଠିତ ହୋଇଛି। ଆରମ୍ଭ ହୋଇଛି ମହାପ୍ରଭୁଙ୍କ ନବ ଦିନାତ୍ମକ ଯାତ୍ରା। ଭାଇଭଉଣୀଙ୍କ ସହିତ ଭଗବାନ ଶ୍ରୀଜଗନ୍ନାଥ ଘୋଷଯାତ୍ରାରେ ବାହାରି ମାଉସୀମା’ ମନ୍ଦିରରେ ପହଞ୍ଚିଛନ୍ତି। ପୁଣ୍ୟଭୂମି ବାଣୀବିହାରର ବାଣୀକ୍ଷେତ୍ରରେ ସକାଳୁ ପାରମ୍ପରିକ ରୀତିନୀତି ଅନୁସାରେ ଶ୍ରୀଜୀଉଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା। ପ୍ରଥମେ ସୁଦର୍ଶନଙ୍କ ପହଣ୍ଡି ବିଜେ ହେବା ପରେ ବଳଭଦ୍ର ଓ ଦେବୀ ସୁଭଦ୍ରା। ଏହାପରେ ପୂର୍ବାହ୍ନରେ ପହଣ୍ଡି ପରେ ଝୁଲି ଝୁଲି ରାଜରାସ୍ତାକୁ ଓଲ୍ଲାଇ ଆସିଥିଲେ ବଡ଼ଠାକୁର। ସେ ଭକ୍ତର ଭାବ ଓ ଆବେଗର ବନ୍ଧା କାଳିଆଠାକୁର। ବଡ଼ ଭାଇ ବଳଭଦ୍ର ଓ ସାନଭଉଣୀ ସୁଭଦ୍ରାଙ୍କ ସହ ରଥାରୁଢ଼ ହେବା ପରେ ବାଣୀକ୍ଷେତ୍ରରେ ଶ୍ରୀଜୀଉଙ୍କ ପୁରୀ ଗୁଣ୍ଡିଚା ଯାତ୍ରା ବିଧି ଅନୁଯାୟୀ ରଥଯାତ୍ରା ନୀତି ଆରମ୍ଭ ହୋଇଥିଲା।

ରଥଉପରେ ଶ୍ରୀଜୀଉଙ୍କ ବିଭିନ୍ନ ବେଶ ଓ ନୀତି ସମ୍ପନ୍ନ ହୋଇଥିଲା। ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରଥମ ମହିଳା କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଶ୍ରୀଜୀଉଙ୍କ ରଥ ଉପରେ ଜଗନ୍ନାଥଙ୍କର ରୀତିନୀତି ଅନୁସାରେ ଛେରା ପହଁରା କରିଥିଲେ। ଏହାପରେ ରଥକୁ ବନ୍ଦାପନା କରାଯାଇଥିଲା ଏବଂ ଘୋଡ଼ା ଓ ସାରଥୀ ଲଗାଯାଇ ରଥଟଣା ଆରମ୍ଭ ହୋଇଥିଲା। ଭାବ ଓ ଭକ୍ତିରେ ବାଣୀକ୍ଷେତ୍ରର ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କ ରଥ ଗୁଣ୍ଡିଚାମନ୍ଦିର ଆଡ଼କୁ ଟାଣିନେଇଥିଲେ। ସନ୍ଧ୍ୟା ସୁଦ୍ଧା ମହାପ୍ରଭୁଙ୍କ ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଥିଲା। ରଥ ଉପରେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଶହ ଶହ ଭକ୍ତଙ୍କ ସମାଗମ ହୋଇଥିଲେ। ବାଣୀବିହାରର ବାଣୀକ୍ଷେତ୍ରରେ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ୨୮ଫୁଟ ଲମ୍ବର ସୁସଜ୍ଜିତ ରଥ ପ୍ରସ୍ତୁତ କରାଯାଇଥିଲା।

Leave A Reply

Your email address will not be published.