ଜୁନ୍ ୨୯ରେ ଆସୁଛି ଓଡିଆ ଚଳଚ୍ଚିତ୍ର ‘ପ୍ରିୟେ ତୁମୋ ସିଏ’, ପ୍ରଥମଥର ଏକାଠି ଆସୁଛନ୍ତି ଅମ୍ଳାନ – ଏଲିନା

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଜୁନ୍ ୨୯ରେ ଆସୁଛି ଓଡିଆ ଚଳଚ୍ଚିତ୍ର ‘ପ୍ରିୟେ ତୁମୋ ସିଏ’ । ପ୍ରଥମଥର ପାଇଁ ପରଦାକୁ ଏକାଠି ଆସୁଛନ୍ତି ଅମ୍ଳାନ ଓ ଏଲିନା । ଏହି ଫିଲ୍ମରେ ଲଭ କେମେଷ୍ଟ୍ରୀକୁ ନେଇ ହୋଇଛି ନୂଆ ଏକ୍ସପେରିମେଣ୍ଟ୍ । ଯେଉଁଥିରେ ସୁପରଷ୍ଟାର ଅମ୍ଳାନ ଓ ଚୁଲବୁଲି ଲୋକପ୍ରିୟ ନାୟିକା ଏଲିନାଙ୍କୁ ଏକାଠି ଦେଖିବେ ଦର୍ଶକ । ଅନେକ ଓଡିଆ ଚଳଚ୍ଚିତ୍ରରେ ନିଜର ନିଖୁଣ ଅଭିନୟର ଯାଦୁ ଦେଖାଇଥିବା ବବି ମିଶ୍ରଙ୍କୁ ମଧ୍ୟ ଏକ ଗୁରୁତ୍ତ୍ୱପୂର୍ଣ୍ଣ ଚରିତ୍ରରେ ଦେଖିବେ ଦର୍ଶକ ।

ଆଜି ଭୁବନେଶ୍ବରସ୍ଥିତ ହୋଟେଲ୍‌ ଶୀତଲ୍ ଠାରେ ପ୍ରଯୋଜନା ସଂସ୍ଥା ତରଫରୁ ଏକ ସାମ୍ବାଦିକ ସମ୍ମିଳନୀରେ ଚଳଚ୍ଚିତ୍ର ମୁକ୍ତିଲାଭର ତାରିଖ ଘୋଷଣା କରାଯାଇଛି । ଏହି ଅବସରରେ ପ୍ରଯୋଜିକା ଝିଲିକ୍ ଭଟାଚ୍ଚାର୍ଯ୍ୟ କହିଛନ୍ତି ଯେ, “ଆସନ୍ତା ଜୁନ୍ ୨୯ରେ ଓଡ଼ିଶାର ୩୦ରୁ ଉର୍ଦ୍ଧ୍ୱ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ଏହି ଫିଲ୍ମ”। ଅମ୍ଳାନ, ଏଲିନା ଓ ବଵି ମିଶ୍ରଙ୍କ ବ୍ୟତୀତ ଅନ୍ୟମାନଙ୍କ ମଧ୍ୟରେ ଚୌଧୁରୀ ଜୟପ୍ରକାଶ ଦାସ‌, ସଙ୍ଗୀତ ନିର୍ଦ୍ଦୈଶକ ବୈଦ୍ୟନାଥ ଦାସ, କାର୍ଯ୍ୟକାରୀ ପ୍ରଯୋଜକ ଅରୁଣ କୁମାର ସ୍ବାଇଁ ଓ କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରେମ ହେଇଯାଏ । କେଉଁଠି, କେମିତି, କେତେବେଳେ.. । ପରିବାରର ଆଭିଜାତ୍ୟ ଆକାଶ- ପାତାଳର ପାର୍ଥକ୍ୟ । ବେଫିକର ଗରୀବ ପୁଅକୁ ମନରେ ଜାଗା ଦେଇଛି ଜମିଦାରର ଝିଅ । ଏମିତି କାହିଁକି ହେଲା, କେମିତି ହେଲା । କାହିଁକି ଆଭିଜାତ୍ୟରେ ପରିପୂର୍ଣ୍ଣ ଝିଅ ରାସ୍ତା କଡର ପୁଅକୁ ପ୍ରେମିକ ରୂପେ ସ୍ୱୀକାର କଲା ? ନିଆରା ପ୍ରେମ କାହାଣୀର, ନିଛକ ଛବି । ପ୍ରେମ-ପ୍ରତିଶ୍ରୁତି-ପାଗଲପନର ପ୍ରତିମୂର୍ତ୍ତୀ । ଏମିତି ଏକ ହୃଦୟକୁ ଛୁଇଁଲା ଭଳି କାହାଣୀ ନେଇ ଆସୁଛି ଝିଲିକ ମୋସନ ପିକଚର । ଜାହାର ଶୀର୍ଷକ ରହିଛି ‘ପ୍ରିୟେ ତୁମୋ ସିଏ’ ।

କାହାଣୀରେ ଭରି ରହିଛି ଓଡିଆ ଝୁଙ୍କ । ଝିଲ୍ଲିକ ଭଟ୍ଟାଚାର୍ଯ୍ୟ ପ୍ରଯୋଜନା ଦାୟିତ୍ୱ ନେଇଥିବାବେଳେ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ସୁଧାଂଶୁ ମୋହନ ସାହୁ । କାହାଣୀର ରଚନା କରିଛନ୍ତି ଜଣାଶୁଣା ଯୁବ ଲେଖକ ଶରଣାବିନ୍ଦ ଓଝା । ସଙ୍ଗୀତରେ ସଜାଇଛନ୍ତି ଯୁବ ସଙ୍ଗୀତ ନିର୍ଦ୍ଦେଶକ ତଥା ଅନେକ ହିଟ୍ ଗୀତର ନିର୍ଦ୍ଦେଶକ ବୈଦନାଥ ଦାସ । ଫିଲ୍ମରେ ମୁଖ୍ୟ ଚରିତ୍ର ମାନଙ୍କ ବ୍ୟତୀତ ଅଭିଷେକ ଗିରି, ଭୂପତି ତ୍ରିପାଠୀ, ଗୁଡୁ, ରମେଶ ରାଉତ, ଚୌଧୁରୀ ଜୟପ୍ରକାଶ ଦାସ, ନିଜେ ନିର୍ଦ୍ଦେଶକ ସୁଧାଶୁଂ ସାହୁ, ଅଭିନେତ୍ରୀ ସୋମା ଭୌମିକ, ଛନ୍ଦିତା ପାଢୀ ଓ ଇଷା ବେବର୍ତ୍ତା ଙ୍କୁ ଦେଖିବାକୁ ପାଇବେ ଦର୍ଶକ । ତେବେ କାହାଣୀର ସ୍ୱତନ୍ତ୍ରତା ହିଁ ଆକୃଷ୍ଟ କରିବ ଦର୍ଶକଙ୍କୁ ଜୋର ଦେଇ କହିଛନ୍ତି ଫିଲ୍ମର ନିର୍ଦ୍ଦେଶକ । ଫିଲ୍ମର ସୁଟିଂ ସମ୍ପୂର୍ଣ୍ଣ ଭାବେ ବାରିପଦାରେ ହୋଇଥିବାବେଳେ ଗୀତ ଗୁଡିକ ମନାଲୀ ଓ ଚଣ୍ଡିଗଡ଼ରେ ସୁଟିଂ ହୋଇଛି ।

ଝିଲିକ ମୋସନ ପିକଚର୍ସ ବ୍ୟାନରରେ ‘ପ୍ରିୟେ ତୁମୋ ସିଏ’ ହେଉଛି ଚତୁର୍ଥ ଫିଲ୍ମ । ଆଗରୁ ଅଭିନୟ ମାଧ୍ୟମରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିବା ଝିଲିକ୍ ଭଟ୍ଟାଚାର୍ଯ୍ୟ, ଏବେ ପ୍ରଯୋଜନା ମାଧ୍ୟମରେ ମଧ୍ୟ ସଫଳ ଦିଗରେ ଅଗ୍ରସର । ଝିଲିକଙ୍କ ବ୍ୟାନରରେ ‘ରୁଦ୍ରାଣୀ’, ‘କିସମିସ’ ଏବଂ ‘ତୋର ମୋର କଟି’ ପରେ ଆସୁଛି ‘ପ୍ରିୟେ ତୁ ମୋ ସିଏ’ । ସମସ୍ତ ଫିଲ୍ମକୁ ଦର୍ଶକଙ୍କ ବହୁମାତ୍ରାରେ ଭଲ ପାଇବା ମିଳିଥିଲା ଓ ଜୁନ୍ ୨୯ରେ ଆସୁଥିବା ଏହି ଏଲିନା – ଆମ୍ଳାନଙ୍କ ଯୋଡ଼ିଙ୍କୁ ମଧ୍ୟ ମିଳିବ ଅକୁଣ୍ଠ ଭଲପାଇବା ବୋଲି ଆଶା କରିଛି ପ୍ରଯୋଜନା ସଂସ୍ଥା ।

Leave A Reply

Your email address will not be published.