ଇଡିରେ ହାଜର ହେଲେ ଆରଜେଡି ସୁପ୍ରିମୋ ଲାଲୁପ୍ରସାଦ ଯାଦବ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଇଡିରେ ହାଜର ହେଲେ ଆରଜେଡି ସୁପ୍ରିମୋ ଲାଲୁପ୍ରସାଦ ଯାଦବ । ପାଟନା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ହାଜର ହେବା ପରେ ତାଙ୍କୁ ପଚରାଉଚରା କରୁଛି ଇଡି । ସୂଚନା ମୁତାବକ, ଦିନ 11ଟା ସୁଦ୍ଧା ସେ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିବା ବେଳେ ସେଠାରେ ତାଙ୍କୁ ପଚରାଉଚରା କରାଯାଉଛି । ଲାଲୁ ପ୍ରସାଦଙ୍କ ସହ ତାଙ୍କ ଝିଅ ମିଶା ଭାରତୀ ମଧ୍ୟ ପାଟନା ସ୍ଥିତ ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି । ଅନ୍ୟପଟେ ଇଡି କାର୍ଯ୍ୟାଳୟ ବାହାରେ ଲାଲୁ ଯାଦବଙ୍କ ସମର୍ଥକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଶତାଧିକ ସମର୍ଥକ କାର୍ଯ୍ୟାଳୟ ବାହାରେ ଲାଲୁ ଯାଦବ ଜିନ୍ଦାବାଦ ନାରା ଦେବା ସହ କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ସମର୍ଥକମାନେ । କାର୍ଯ୍ୟାଳୟ ବାହାରେ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଛି । ପୋଲିସ ବାରିକେଡ ଲଗାଇ ସେମାନଙ୍କୁ ରୋକିବାକୁ ଚେଷ୍ଟା ଚଳାଇଛି ।

ବିହାର ଚାକିରି ବଦଳରେ ଜମି ଘୋଟାଲା ମାମଲା 14 ବର୍ଷ ପୁରୁଣା ଅଟେ । ମନମୋହନ ସିଂ ପ୍ରଧାନମନ୍ତ୍ରୀ ଥିବା ସମୟରେ 2004 ମସିହାରୁ 2009 ପର୍ଯ୍ୟନ୍ତ ରେଳମନ୍ତ୍ରୀ ଥିଲେ ଆରଜେଡି ଅଧ୍ୟକ୍ଷ ଲାଲୁ ଯାଦବ । ଏହି ସମୟରେ ରେଲଓ୍ୱେ ଚାକିରିରେ ବ୍ୟାପକ ଘୋଟାଲା ହୋଇଥିବା ଅଭିଯୋଗ ହୋଇଛି । ରେଳ ବିଭାଗରେ ଚାକିରି ଦେବା ନାଁରେ ଜମି ନେଉଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ଅନୁଯାୟୀ, ଲାଲୁ ଯାଦବ ରେଲଓ୍ବେ ଚାକିରି ବଦଳରେ ଚାକିରି ଆଶାୟୀଙ୍କ ଠାରୁ ଜମି ଓ ପ୍ଲଟ ନେଇ ନିଜ ପରିବାର ନାଁରେ ସେହି ଜମି କରିଥିଲେ । ଏହି ମାମଲାରେ ରାବଡି ଦେବୀ, ତେଜସ୍ୱୀ ଯାଦବ, ମିଶା ଭାରତୀ ପୁରା ପରିବାର ଜଡିତ ଥିବା ଅଭିଯୋଗ ହୋଇଛି । ସିବିଆଇ ମଧ୍ୟ ପୂର୍ବରୁ ଏହି ମାମଲାରେ ଲାଲୁ ଯାଦବ, ତାଙ୍କ ପରିବାର ଓ ସମ୍ପର୍କୀୟମାନଙ୍କୁ ପଚରାଉଚରା କରିଛି । ଲାଲୁ ଯାଦବଙ୍କ ଅତି ଘନିଷ୍ଠ କୁହାଯାଉଥିବା ଭୋଲା ଯାଦବ ଏହି ମାମଲାରେ ଗିରଫ ହୋଇଛନ୍ତି ।

ଇଡି ଚାର୍ଜସିଟ୍ ଅନୁଯାୟୀ, 2004ରୁ 2009 ମଧ୍ୟରେ ଲାଲୁ ଯାଦବ ରେଳ ବିଭାଗରେ ବିଭିନ୍ନ ଲୋକଙ୍କୁ ଗ୍ରୁପ ଡିରେ ବେଆଇନ ଭାବେ ନିଯୁକ୍ତି କରିଛନ୍ତି । ଚାକିରି ବଦଳରେ ଜମି ନେଇ ନିଜ ପରିବାର ସଦସ୍ୟ ଓ ଏକ ଇନଫୋସିଷ୍ଟମ୍ସ ପ୍ରାଇଭେଟ ଲିମିଟେଡକୁ ହସ୍ତାନ୍ତର କରିଥିବା ଅଭିଯୋଗ ହୋଇଛି । ବିହାର ପଲିଟିକାଲ ହାଇଡ୍ରାମା ମଧ୍ୟରେ ଇଡି ରେଡ୍ ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave A Reply

Your email address will not be published.