ସଚିନ ତେନ୍ଦୁଲକରଙ୍କ ସୁରକ୍ଷାକର୍ମୀଙ୍କ ଆତ୍ମହତ୍ୟା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସଚିନ ତେନ୍ଦୁଲକରଙ୍କ ସୁରକ୍ଷାରେ ନିୟୋଜିତ ଜଣେ ଏସ୍‌ଆରପିଏଫ୍  ଯବାନ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।  ତାଙ୍କ ସୁରକ୍ଷା ପାଇଁ ପୋଷ୍ଟ କରାଯାଇଥିବା ଜଣେ ଏସଆରପିଏଫ ଯବାନ ମହାରାଷ୍ଟ୍ରର ଜଲଗାଓଁରେ ଥିବା ତାଙ୍କ ପୈତୃକ ଘରେ ଆତ୍ମହତ୍ୟା କରିଛନ୍ତି। ଅଧିକାରୀ କହିଛନ୍ତି ଯେ ଏହି ଘଟଣା ମେ‘ ୧୪ ରେ ବିଳମ୍ବିତ ରାତିରେ ଘଟିଛି।

ଜାମନେର ସହରସ୍ଥିତ ନିଜ ପୈତୃକ ବାସଭବନରେ ସେ ଆତ୍ମହତ୍ୟା କରିଛନ୍ତି। ବୁଧବାର ଏନେଇ ଅଧିକାରୀମାନେ ସୂଚନା ଦେଇଛନ୍ତି। ମୃତ ଯବାନଙ୍କ ନାଁ ପ୍ରକାଶ କାପଡ଼େ(୩୯) ବୋଲି ଜଣାପଡ଼ିଛି। ସେ ଛୁଟିରେ ତାଙ୍କ ପୈତୃକ ସହରକୁ ଯାଇଥିଲେ। କାପଡ଼େ ନିଜ ସରକାରୀ ବନ୍ଧୁକରୁ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ତାଙ୍କ ପରିବାରରେ ବୟସ୍କ ମାତା-ମାତା, ପତ୍ନୀ, ଦୁଇ ପିଲା, ଜଣେ ଭାଇ ଏବଂ ଅନ୍ୟ ସଦସ୍ୟ ଅଛନ୍ତି। ତେବେ ତାଙ୍କ ଆତ୍ମହତ୍ୟାର କାରଣ ବର୍ତ୍ତମାନସୁଦ୍ଧା ଜଣାପଡ଼ିନାହିଁ।

ସୂତ୍ରରୁ ଜଣାପଡିଛି ଯେ, ଏସଆରପିଏଫ ପକ୍ଷରୁ ସ୍ଵତନ୍ତ୍ର ତଦନ୍ତ କରାଯିବାର ସମ୍ଭାବନା ରହିଛି, କାରଣ ଯବାନ ଜଣକ ଭିଭିଆଇପି ସୁରକ୍ଷାରେ ନିୟୋଜିତ ଥିଲେ। ବରିଷ୍ଠ ଇନ୍ସପେକ୍ଟର କିରଣ ସିନ୍ଦେ କହିଛନ୍ତି, ପ୍ରାଥମିକ ତଦନ୍ତରୁ ଜଣାପଡୁଛି ଯେ କୌଣସି ବ୍ୟକ୍ତିଗତ କାରଣରୁ ସେ ଏଭଳି ପଦକ୍ଷେପ ନେଇଛନ୍ତି। ତେବେ ତଦନ୍ତ ଶେଷ ହେବା ପରେ ପ୍ରକୃତ କାରଣ ଜଣାପଡ଼ିବ। ପ୍ରକାଶ କାପଡେଙ୍କ ମୃତଦେହକୁ ପୁଲିସ୍ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହା ସହିତ ପୁଲିସ ତାଙ୍କ ପରିବାର ଲୋକ, ସହକର୍ମୀ ଓ ଅନ୍ୟ ପରିଚିତଙ୍କୁ ପଚରାଉଚରା କରୁଛି।

 

Comments are closed.