ଭୁବନେଶ୍ୱରରେ ପରିମଳ ସମାଧାନ ବ୍ୟବସ୍ଥା ବୁଲି ଦେଖିଲେ ସ୍କୁଲ ଛାତ୍ରଛାତ୍ରୀ: ଏମ୍ ସି ସି ଓ ଏମ୍ ଆର୍ ଏଫ୍ ପରିଚାଳନା କାର୍ଯ୍ୟକୁ ଶିଖିଲେ

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ଗତକାଲି ସି ଆର୍ ପି ବରମୁଣ୍ଡା ଉଚ୍ଚ ବିଦ୍ୟାଳୟର ଛାତ୍ର/ଛାତ୍ରୀମାନେ ଭୁବନେଶ୍ୱର ମହାନଗର ନିଗମ (ବି ଏମ୍ ସି) ଏବଂ ଓଡ଼ିଶା ସରକାରଙ୍କ ପରିଚାଳିତ ବିଭିନ୍ନ ପରିମଳ ସମାଧାନ ବ୍ୟବସ୍ଥାକୁ ବୁଲି ଦେଖିଛନ୍ତି । ଓଡ଼ିଶା ସରକାରଙ୍କ ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତନ ବିଭାଗ ଅଧିନରେ ଥିବା ପରିବେଶ ଶିକ୍ଷାକେନ୍ଦ୍ର (ସେଂଟର ଫର୍ ଏନ୍‌ଭିରନ୍‌ମେଂଟାଲ୍ ଷ୍ଟଡ଼ିଜ୍‌) ର କାର୍ଯ୍ୟକ୍ରମ ଅଧିକାରୀଙ୍କ ସଂଯୋଜନାରେ ଏହି ପରିଦର୍ଶନ ଶିକ୍ଷା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସଂପ୍ରତି ସ୍ୱଚ୍ଛତା କାର୍ଯ୍ୟକ୍ରମକୁ ଅଧିକରୁ ଅଧିକ ବିଜ୍ଞାନ ସମ୍ମତ ଏବଂ ସମୟ ଉପଯୋଗୀ କରାଇବା ପାଇଁ ବି ଏମ୍ ସି ର ନିରନ୍ତର ପ୍ରୟାସ ଚାଲୁ ରହିଛି । ଏଥିପାଇଁ ସରକାରଙ୍କ ତରଫରୁ ସ୍ୱେରେଜ୍ ଟ୍ରିଟ୍‌ମେଂଟ ପ୍ଲାଂଟ୍‌, ଫିକାଲ୍ ସ୍ଲଜ୍ ଟ୍ରିଟ୍‌ମେଂଟ ପ୍ଲାଂଟ୍‌ (ମଳ ଉପଚାର କେନ୍ଦ୍ର), ମାଇକ୍ରୋ କମ୍ପୋଷ୍ଟିଂ ସେଂଟର (ଏମ୍ ସି ସି) ଏବଂ ମ୍ୟାଟେରିଆଲ୍ ରିକଭରି ଫ୍ୟାସିଲିଟି (ସମ୍ପଦ କେନ୍ଦ୍ର ବା ୱେଲ୍‌ଥ ସେଂଟର) ମାନ କରାଯାଇ ଉଭୟ ତରଳ ଏବଂ କଠିନ ବର୍ଜ୍ୟବସ୍ତୁର ବିଜ୍ଞାନ ସମ୍ମତ ପରିଚାଳନା କରାଯାଉଅଛି ।

ଅଦ୍ୟାବଧି ଭୁବନେଶ୍ୱରରେ ୨୭ ଗୋଟି ଏମ୍ ସି ସି ଏବଂ ୯ ଗୋଟି ଏମ୍ ଆର୍ ଏଫ୍ କାର୍ଯ୍ୟକାରୀ ହୋଇସାରିଛି । ତେବେ ପରିମଳ କ୍ଷେତ୍ରରେ ଏହି ଦୃଷ୍ଟାନ୍ତମୂଳକ ପରିବର୍ତନ ଅନେକ ଅନୁଧ୍ୟାନକାରୀ, ଶିକ୍ଷାବିତ୍ ଏବଂ ବିଦ୍ୟାର୍ଥିଙ୍କ ପାଇଁ ଖୋରାକ ଯୋଗାଉଛି । ଏହି ଉଦ୍ଦେଶ୍ୟରେ ସ୍ଥାନୀୟ ସି ଆର୍ ପି ବରମୁଣ୍ଡା ଉଚ୍ଚ ବିଦ୍ୟାଳୟରେ ହୋଇଥିବା ଇକୋ-କ୍ଲବ୍ ରେ ସଂଶ୍ଳିଷ୍ଟ ଥିବା ନବମ ଏବଂ ଦଶମ ଶ୍ରେଣୀର ୫୦ ଜଣ ଛାତ୍ରୀ/ଛାତ୍ର ବାସୁଆଘାଇର ମଳ ଉପଚାର କେନ୍ଦ୍ର ସ୍ୱେରେଜ୍ ମଳ ଉପଚାର ପ୍ଲାଂଟ୍ ଏବଂ ସୈନିକ ସ୍କୁଲ୍ ନିକଟରେ ଥିବା ଏମ୍ ସି ସି ଓ ଏମ୍ ଆର୍ ଏଫ୍ ବୁଲି ଦେଖିଥିଲେ । ରାଜଧାନୀ ଭୁବନେଶ୍ୱର ଐତିହ୍ୟ ଦୃଷ୍ଟିକୋଣରୁ ମନ୍ଦିରମାଳିନୀ ହୋଇଥିବା ବେଳେ ସ୍ମାର୍ଟ ସହର ଭାବେ ଏହାର ପରିଚିତି ବଜାୟ ରହିଛି । ଏଥିପାଇଁ ପରିମଳ ସମାଧାନ ବ୍ୟବସ୍ଥାକୁ ମଧ୍ୟ ସମୟ ଉପଯୋଗୀ କରାଯାଇ ତରଳ ବର୍ଜ୍ୟବସ୍ତୁ ଓ କଠିନ ବର୍ଜ୍ୟବସ୍ତୁର ପ୍ରକ୍ରିୟାକରଣ କରାଯାଉଛି ।

ଏହିସବୁ ପ୍ରକ୍ରିୟାକରଣ କେନ୍ଦ୍ର ପରିବେଶ ଅନୁସନ୍ଧିତ୍ସୁଙ୍କ ପାଇଁ ଖୁବ୍ ପ୍ରେରଣା ଦାୟକ ଏବଂ ଶିକ୍ଷଣୀୟ ହୋଇପାରିଛି । ତେଣୁ ରାଜ୍ୟରୁ ଏବଂ ରାଜ୍ୟ ବାହାରୁ ଅନେକ ଅନୁଷ୍ଠାନର ସଦସ୍ୟ/ସଦସ୍ୟା ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ଗ୍ରହଣ କରାଯାଉଥିବା ପରିମଳ ସମାଧାନ ବ୍ୟବସ୍ଥାକୁ ଦେଖିବାକୁ ଆସୁଛନ୍ତି ଏବଂ ପ୍ରଶଂସା କରିବା ସହିତ ନିଜ ଅଂଚଳରେ ଏବଂ ଅନୁଷ୍ଠାନରେ ଏହି ପ୍ରକାର ବ୍ୟବସ୍ଥା କରିବାକୁ ମନ ବଳାଉଛନ୍ତି; କହିଛନ୍ତି ଡ଼େପୁଟି କମିଶନର ପରିମଳ ବି ଏମ୍ ସି ଶୁଭେନ୍ଦୁ କୁମାର ସାହୁ ।

ବିଦ୍ୟାର୍ଥିଙ୍କ କ୍ଷେତ୍ର ପରିଦର୍ଶନରେ ଭୁବନେଶ୍ୱର ମହାନଗର ନିଗମର ସାନିଟେସନ୍ ଏକ୍ସପର୍ଟ ଟିମ୍ ଛାତ୍ରୀ/ଛାତ୍ର ମାନଙ୍କୁ ବର୍ଜ୍ୟ ପୃଥକୀକରଣ, ପରିବାରରୁ ସମ୍ପଦ କେନ୍ଦ୍ରକୁ ବର୍ଜ୍ୟର ପରିବହନ, ମୁଁ ସଫେଇବାଲା ଗାଡ଼ିରେ ନାଗରିକ ସଂଯୋଗ କାର୍ଯ୍ୟକ୍ରମ ବାର୍ତା ପ୍ରଚାର, ଏସ୍ ଏଚ୍ ଜି ମାନଙ୍କ ସିଧାସଳଖ ଅଂଶଗ୍ରହଣରେ ପରିମଳ ସମସ୍ୟାର ସମାଧାନ, ସେସ୍‌ପୁଲ୍ ଯାନର ଉପଯୋଗ ଏବଂ ବସ୍ତି ଅଂଚଳ ପାଇଁ ଏହାର ରିହାତି ବ୍ୟବସ୍ଥା, ଓଦା ବର୍ଜ୍ୟବସ୍ତୁରୁ ମୋ ଖତର ପ୍ରସ୍ତୁତି ଏବଂ ଚାହିଦା ବୃଦ୍ଧି,ଇଲେକ୍‌ଟ୍ରୋନିକ୍ ତଥା ଘରୋଇ ବିପଦପୂର୍ଣ୍ଣ ବର୍ଜ୍ୟବସ୍ତୁ ର ସଂଗ୍ରହ ଓ ପରିଚାଳନା, ମଳ ଉପଚାରରେ ବି ଏମ୍ ସି ର ପାରଦର୍ଶିତା ପାଇଁ ସରକାରୀ ପ୍ରୋତ୍ସାହନ ବାବଦରେ ବିଦ୍ୟାର୍ଥିମାନେ ଜାଣି ପାରିଥିଲେ । ଏହି ପ୍ରକାର ବ୍ୟବସ୍ଥା ଆମର କ୍ଷେତ୍ର ଭ୍ରମଣ ଉଦ୍ଦେଶ୍ୟ ସଫଳ କରାଇଛି ବୋଲି ଆସିଥିବା ବିଦ୍ୟାର୍ଥି ଏବଂ ସହଯୋଗୀ ଶିକ୍ଷକମାନେ କହିଥିଲେ ।

Leave A Reply

Your email address will not be published.