ସିସୋର ଚିଟଫଣ୍ଡ ଠକେଇ ମାମଲା: ରବିନ୍ଦ୍ର ଜେନାଙ୍କୁ ଓଡିଶା ହାଇକୋର୍ଟଙ୍କ ଝଟକା, ମାମଲା ରଦ୍ଦ କରିବା ଅପିଲକୁ କଲେ ଖାରଜ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସିସୋର ଚିଟଫଣ୍ଡ ଠକେଇ ମାମଲା ନେଇ ବାଲେଶ୍ଵରର ପୂର୍ବତନ ସାଂସଦ ରବିନ୍ଦ୍ର ଜେନାଙ୍କୁ ଓଡିଶା ହାଇକୋର୍ଟଙ୍କ ଝଟକା। ରବୀନ୍ଦ୍ର ଜେନାଙ୍କ ବିରୋଧରେ ସିସୋର ଚିଟଫଣ୍ଡ ଠକେଇ ନେଇ ହୋଇଥିବା ମାମଲା ରଦ୍ଦ କରିବା ପାଇଁ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଉଭୟ ପକ୍ଷଙ୍କୁ ଶୁଣିବା ପରେ ହାଇକୋର୍ଟ ରବିନ୍ଦ୍ର ଜେନାଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି। ସିସୋର ଚିଟଫଣ୍ଡ ସଂସ୍ଥା ଠାରୁ ପଇସା ନେଇ ସଂସ୍ଥା ମାଲିକଙ୍କୁ ରାଜନୈତିକ ସୁରକ୍ଷା ରବିନ୍ଦ୍ର ଜେନା ଦେଉଥିଲେ ବୋଲି ସିବିଆଇ ପକ୍ଷରୁ କୋର୍ଟରେ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ପୂର୍ବରୁ ରବିନ୍ଦ୍ର ଜେନାଙ୍କୁ ସର୍ତମୂଳକ ଜାମିନ ପ୍ରଦାନ କରିଥିଲେ କୋର୍ଟ।
ସିବିଆଇ ପକ୍ଷରୁ ଦିଆଯାଇଥିବା ଚାର୍ଜସିଟ ଓ ଏଫଆଇଆରକୁ ରଦ୍ଦ କରିବା ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ ରବିନ୍ଦ୍ର ଜେନା। ବିଚାରପତି ଜଷ୍ଟିସ ବି ପି ରାଉତରାୟଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣୀ କରି ରବିନ୍ଦ୍ର ଜେନାଙ୍କ ଆବେଦନକୁ ଖାରଜ କରିଛନ୍ତି। ଗତ ଡିସେମ୍ବର ୯ ତାରିଖରେ ଏହି ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ ହାଇକୋର୍ଟ। ସିବିଆଇ ପକ୍ଷରୁ ଆଇନଜୀବୀ ସାର୍ଥକ ନାୟକ ଏହି ମାମଲା ପରିଚାଳନା କରୁଥିଲେ।