ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦିନକ ପରେ ସ୍ୱାଧୀନତା ଦିବସ । ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ସାରିଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଆତଙ୍କବାଦୀ ମାନେ ଦେଶରେ ଆତଙ୍କ ଖେଳାଇବା ପାଇଁ ଯୋଜନା କରୁଥିବା ସୂଚନା ମିଳିଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ୧୦ ହଜାର ପୁଲିସ କର୍ମଚାରୀ ସମେତ ଆଉ ୩ ହଜାର ଟ୍ରାଫିକ ପୁଲିସଙ୍କୁ ନିୟୋଜିତ କରାଯାଇଛି।
ସେହିପରି ବିଭିନ୍ନ ସ୍ଥାନରେ ୭୦୦ରୁ ଅଧିକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଆଧାରିତ କ୍ୟାମେରା ଲଗାଯାଇଛି। ଏହି କ୍ୟାମେରା କୌଣସି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଠାବ କରିବାରେ ସହାୟକ ହେବ। ସୂଚନା ଅନୁଯାୟୀ ଆତଙ୍କବାଦୀମାନେ ୧୫ ଅଗଷ୍ଟ ଅବସରରେ ମାନବ ବୋମା ରୂପରେ ଆକ୍ରମଣ କରି ପାରନ୍ତି । ଏହାକୁ ଦୃଷ୍ଟିରେ ରଖି ଗୁପ୍ତଚର ସଂସ୍ଥା ସତର୍କ ସୂଚନା ଜାରି କରିଛନ୍ତି। ଆତଙ୍କବାଦୀମାନେ ଭିଭିଆଇପି ମାନଙ୍କୁ ଟାର୍ଗେଟ କରି ପାରନ୍ତି ବୋଲି ଆଶଙ୍କା କରାଯାଉଛି । ନିକଟରେ ଜାମ୍ମୁ କାଶ୍ମୀରରେ ହୋଇଥିବା ଆକ୍ରମଣ ପରେ ଅଧିକ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ସେହିପରି ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦର, ରେଳ ଷ୍ଟେସନ, ବସ୍ ଷ୍ଟାଣ୍ଡ, ମଲ୍ ଏବଂ ବଜାର ସମେତ ବିଭିନ୍ନ ସ୍ଥାନରେ ଅତିରିକ୍ତ ପୁଲିସ୍ ଟିମ୍ ଏବଂ ପାରାମିଲିଟାରୀ ଫୋର୍ସ ମୁତୟନ କରାଯାଇଛି। ସ୍ୱାଧୀନତା ଦିବସ ଅବସରରେ ଟ୍ରାଫିକକୁ ନିୟନ୍ତ୍ରଣ କରିବା ପାଇଁ ୩୦୦୦ରୁ ଅଧିକ ଟ୍ରାଫିକ ପୁଲିସ କର୍ମଚାରୀ ନିୟୋଜିତ ହେବେ। ଏମାନେ ଦିଲ୍ଲୀର ବିଭିନ୍ନ ପ୍ରବେଶ ପଥ ଏବଂ ଲାଲକିଲାକୁ ସଂଯୋଗ କରୁଥିବା ରାସ୍ତାରେ ନିୟୋଜିତ ରହିବେ।