ବୁଦ୍ଧିଜୀବି ପ୍ରକୋଷ୍ଠ ତରଫରୁ ସହରାଂଚଳ ବନ୍ୟାର କାରଣ ଓ ନିରାକରଣ ଶୀର୍ଷକ ଆଲୋଚନା ଚକ୍ର, ‘ପ୍ରଶାସନର ଅବହେଳା ଓ ଯୋଜନାବିହୀନ ବିକାଶ’

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ପ୍ରଶାସନର ଅବହେଳା ଓ ଅନିୟନ୍ତ୍ରିତ ବିକାଶ ହିଁ ସହରାଂଚଳ ବନ୍ୟାର ଅସଲ କାରଣ ବୋଲି ଆଜି ଏକ ଆଲୋଚନା ଚକ୍ରରେ ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତିା ଭାରତୀୟ ଜନତା ପାର୍ଟି ରାଜ୍ୟ ଶାଖା ବୁଦ୍ଧିଜୀବୀ ପ୍ରକୋଷ୍ଠ ତରଫରୁ ରାଜ୍ୟ କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ‘ସହରାଂଚଳ ବନ୍ୟାର କାରଣ ଓ ନିରାକରଣ’ ଶୀର୍ଷକ ଆଲୋଚନ ଚକ୍ରରେ ଏହି ମତ ପ୍ରକାଶ ପାଇଛି ଏବଂ ଏହାର ନିରାକରଣ ପାଇଁ ସମ୍ମିଳିତ ଉଦ୍ୟମର ଆବଶ୍ୟକତା ରହିଛି ବୋଲି ବକ୍ତାମାନେ ମତପୋଷଣ କରିଛନ୍ତି ।

ବୁଦ୍ଧିଜୀବୀ ପ୍ରକୋଷ୍ଠର ରାଜ୍ୟ ସଂଯୋଜକ ସଜ୍ଜନ ଶର୍ମାଙ୍କ ଆବାହକତ୍ୱରେ ଓ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ବିନାୟକ ରଥ ସଭାପତିତ୍ୱରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ଆଇଆଇଟି ଭୁବନେଶ୍ୱରର ପ୍ରଫେସର ଉମାଚରଣ ମହାନ୍ତି, ପୂର୍ବତନ ପୂର୍ତବିଭାଗ ସଚିବ ଇଞ୍ଜିନିୟର ଡଃ ନନ୍ଦନନ୍ଦନ ଦାଶ, ସ୍ଥପତି ଶ୍ରୀଯୁକ୍ତ ତାରା ପ୍ରସାଦ ଧଳ, ଶ୍ରୀଯୁକ୍ତ ଚିରଞ୍ଜୀବୀ ପଟ୍ଟନାୟକ ପ୍ରମୁଖ ଅଂଶଗ୍ରହଣ କରି ସହରାଂଚଳ ବନ୍ୟାର ବିଭିନ୍ନ କାରଣ ଓ ତାର ନିରାକରଣ ଉପରେ ଆଲୋଚନା କରିଥିଲେ । ସହର ଗୁଡ଼ିକ ଦେଇ ପ୍ରବାହିତ ହେଉଥିବା ନଦୀ ଗୁଡ଼ିକର ଜଳ ସହର ଭିତରକୁ ପଶିବା ପରେ ଉପଯୁକ୍ତ ନିଷ୍କାସନ ବ୍ୟବସ୍ଥା ନଥିବାରୁ ସହର ଭିତରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି ।

ଏପରିକି ସାମାନ୍ୟ ବର୍ଷା ହେଲେ ସହରର ବିିଭିନ୍ନ ସ୍ଥାନରେ ବି ବହୁମାତ୍ରାରେ ପାଣି ଜମି ରହୁଛି । ଉପଯୁକ୍ତ ଡ୍ରେନେଜ ବ୍ୟବସ୍ଥା ନଥିବା ଏବଂ ବିଭିନ୍ନ ସ୍ଥାନରେ ଅବରୋଧ ଯୋଗୁଁ ଜଳ ନିଷ୍କାସନରେ ସମସ୍ୟା ସୃଷ୍ଟି ହେଉଛି । ଏନେଇ ପ୍ରଶାସନ ଠିକଣା ସମୟରେ ତାର ନିରାକରଣ ପାଇଁ ବ୍ୟବସ୍ଥା ବା ପୂର୍ବ ପ୍ରସ୍ତୁତି କରି ପାରୁନି । ଯଦ୍ୱାରା ଏହି ସମସ୍ୟା ସୃଷ୍ଟି ହେଉଛି ବୋଲି ବକ୍ତାମାନେ ମତ ପ୍ରକାଶ କରିଛନ୍ତି ।

ବର୍ଷା ଦିନର ଠିକ୍ ଆଗରୁ ଏହି ପ୍ରସ୍ତୁତି କରାଯିବା ଦରକାର ବୋଲି ମତ ପ୍ରକାଶ କରିଛନ୍ତି । ଭୂବନେଶ୍ୱର ଉପକଂଠ ଗଙ୍ଗୁଆ ନାଳ ସମେତ ୧୩ଟି ପ୍ରାକୃତିକ ନାଳକୁ ବିଭିନ୍ନ ସ୍ଥାନରେ ଅବରୋଧ କରାଯାଉଥିବାରୁ ଜଳ ନିଷ୍କାସନ ହୋଇନପାରି କୃତ୍ରିମ ବନ୍ୟା ସୃଷ୍ଟି ହେଉଛି । ଯଦ୍ୱାରା ସେଠାରେ ଅଳିଆ ଆବର୍ଜନା ଜମି ରହି ସ୍ୱଚ୍ଛ ଜଳ ବି ଦୂଷିତ ହେଉଛି । ଯାହା ପାଇଁ ସରକାର ଓ ସ୍ଥାନୀୟ ପ୍ରଶାସନ ଆନ୍ତରିକତାର ସହ କାମ କରିବା ଉଚିତ ବୋଲି ମତ ପ୍ରକାଶ ପାଇଥିଲା ।

Leave A Reply

Your email address will not be published.