ପରଲୋକରେ ବରିଷ୍ଠ ସାମ୍ବାଦିକ ବାସୁଦେବ ମହାପାତ୍ର

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବରିଷ୍ଠ ସାମ୍ବାଦିକ ତଥା ଲେଖକ ବାସୁଦେବ ମହାପାତ୍ରଙ୍କ ପରଲୋକ । ସୋମବାର ସକାଳେ କ୍ୟାପିଟାଲ ହସ୍ପିଟାଲରେ ତାଙ୍କ ଦେହାନ୍ତ ହୋଇଯାଇଛି । ଗତ କିଛି ଦିନ ଧରି ସେ ଅସୁସ୍ଥ ଥିଲେ । ହେଲେ ସୋମବାର ତାଙ୍କ ଦେହ ଅଧିକ ଖରାପ ହେବା ସହିତ ଛାତିରେ ଭୀଷଣ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ ଭୁବନେଶ୍ଵରସ୍ଥିତ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବାସୁଦେବ ମହାପାତ୍ର ସାମ୍ବାଦିକତା କ୍ଷେତ୍ର ସହିତ ଦୀର୍ଘ ଦିନ ଧରି ଜଡ଼ିତ ରହିଥିଲେ। ସେ ତାଙ୍କ ସାମ୍ବାଦିକତା ଜୀବନ ଖବରକାଗଜରୁ ଆରମ୍ଭ କରିଥିଲେ। ଜଣେ ତୃଣମୂଳ ସ୍ତରର ସାମ୍ବାଦିକ ଭାବେ ସେ ବେଶ ପରିଚିତ ଥିଲେ। ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ସାମ୍ବାଦିକତା କରିବାରେ ତାଙ୍କର ଦକ୍ଷତା ଥିଲା। ସେ ଧରିତ୍ରୀ ସମେତ ବହୁ ଓଡ଼ିଆ ଖବର କାଗଜରେ କାମ କରିଛନ୍ତି । ସେ କିଛି ଦିନ ପାଇଁ ନକ୍ଷତ୍ର ଟେଲିଭିଜନ ମୁଖ୍ୟ ଭାବେ ମଧ୍ୟ କାମ କରିଛନ୍ତି । ଏବେ ସେ ନିଜର ଏକ ୱେବ ପୋର୍ଟାଲ ଚଲାଉଛନ୍ତି । ଏଥି ସହ ଫ୍ରିଲାନ୍ସର ଭାବେ ଏକାଧିକ ଜାତୀୟ ଏବଂ ଆଞ୍ଚଳିକ ଗଣମାଧ୍ୟମକୁ ଖବର ଯୋଗାଥିଲେ । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରେ ଜନ୍ମ ନେଇଥିବା ବାସୁଦେବ ତାଙ୍କର କ୍ୟାରିୟର ଖବରକାଗଜରୁ ଆରମ୍ଭ କରିଥିଲେ ।

ଗୋଦାବରୀଶ ବିଦ୍ୟାପୀଠରୁ ସ୍କୁଲ ପାଠ ପଢା ଶେଷ କରିବା ପରେ ସେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରୁ ନିଜର ପିଜି ଶେଷ କରିଥିଲେ । ଏହାପରେ ବିଭିନ୍ନ ମିଡିଆ ଚ୍ୟାନେଲରେ ସେ ଏଡିଟର ରହିବା ସହିତ ଲେଖାଲେଖି ମଧ୍ୟ ଜାରି ରଖିଥିଲେ ।  ଆଜି ତାଙ୍କର ବିୟୋଗ ଓଡିଆ ସାମ୍ବାଦିକତା ଜଗତରେ ଶୋକର ଛାୟା ଖେଳାଇଦେଇଛି ।

Leave A Reply

Your email address will not be published.