ଆସନ୍ତା ୧୯ରୁ ୩୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ସିନିୟର ଜାତୀୟ ଭାରୋତ୍ତୋଳନ ଚାମ୍ପିଅନସିପ୍‌ : ପ୍ରତିଦ୍ଵନ୍ଦିତା କରିବେ ରେଳବାଇର ଖେଳାଳ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ସିନିୟର ଜାତୀୟ ଭାରୋତ୍ତୋଳନ ଚାମ୍ପିଅନସିପ୍‌ (ପୁରୁଷ ଓ ମହିଳା) ୨୦୨୧-୨୨ ଆସନ୍ତା  ୧୯ରୁ ୩୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ଭାରତୀୟ ରେଳବାଇ ପକ୍ଷରୁ ଦୃଢ଼ ଦାବିଦାରମାନେ ଅଂଶଗ୍ରହଣ କରିବେ। ଭାରତୀୟ ରେଳବାଇର କ୍ରୀଡ଼ା ବିଭାଗ ରେଳବାଇ କ୍ରୀଡ଼ା ପ୍ରୋତ୍ସାହନ ପରିଷଦ (ଆରଏସପିବି)ର ଦକ୍ଷ ଖେଳାଳୀମାନେ ଏହି ଚାମ୍ପିଅନସିପରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଭାରତୀୟ ରେଳବାଇର ପୁରୁଷ ଦଳ ଲଗାତାର ୪ ବର୍ଷ ଧରି ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ବିଜେତା ହୋଇ ଆସୁଛି। ଅନ୍ୟପକ୍ଷରେ ଭାରତୀୟ ରେଳବାଇର ମହିଳା ଦଳ ଲଗାତାର ଦୁଇଟି ଜାତୀୟ ଚାମ୍ପିଅନସିପରେ ଟାଇଟଲ୍‌ ହାସଲ କରିଛି।

ସୂଚନାଯୋଗ୍ୟ ଯେ ଭାରତୀୟ ରେଳବାଇ ଦେଶର ସର୍ବବୃହତ ସଂସ୍ଥା ଭାବେ କ୍ରୀଡ଼ା ପ୍ରତିଭାମାନଙ୍କୁ ନିଯୁକ୍ତି ଦେଇ ଆସୁଛି। ରେଳବାଇ କ୍ରୀଡ଼ା ପ୍ରୋତ୍ସାହନ ପରିଷଦ ନିଜର କ୍ରୀଡ଼ା ପ୍ରୋତ୍ସାହନ ଗତିବିଧି ଏବଂ ‘‘ଜାହାଁ ଖେଲ୍‌ ୱାହାଁ ରେଲ୍‌’’ (ଯେଉଁଠି ଖେଳ ସେଇଠି ରେଳ) ଲକ୍ଷ୍ୟ ନେଇ କ୍ରୀଡ଼ା ଭିତ୍ତିଭୂମି ବିକାଶ କରୁଛି। ଏହି ସଂଗଠନ କେବଳ ଭାରତୀୟ ରେଳବାଇ ନୁହେଁ ବରଂ ଦେଶର ଅନ୍ୟ କ୍ରୀଡ଼ା ପ୍ରତିଭାମାନଙ୍କୁ କ୍ରୀଡ଼ା କୌଶଳ ଶିକ୍ଷା ଦେବା ଏବଂ ସେମାନଙ୍କ ପ୍ରତିଭା ବିକଶିତ କରିବା ଲାଗି ଆବଶ୍ୟକ ବିଶ୍ୱସ୍ତରୀୟ ପ୍ରଶିକ୍ଷଣ ଏବଂ ସୁବିଧା ଯୋଗାଇ ଦେଉଛି। ରେଳବାଇର ପ୍ରାୟ ୧୦ ହଜାର କ୍ରୀଡ଼ା କର୍ମଚାରୀମାନଙ୍କ ମଧ୍ୟରୁ ପାଖାପାଖି ୩ ହଜାର କର୍ମଚାରୀ କ୍ରୀଡ଼ା ଗତିବିଧିରେ ସକ୍ରିୟ ରହିଛନ୍ତି। ଦେଶରେ ଭାରତୀୟ ରେଳବାଇ ସର୍ବାଧିକ ସଂଖ୍ୟକ ପୁରୁଷ ଓ ମହିଳା କ୍ରୀଡ଼ାବିତ୍‌ମାନଙ୍କୁ ନିଯୁକ୍ତି ଦେଇଛି।

ଅନ୍ତର୍ଜାତୀୟ କ୍ରୀଡ଼ା ମଞ୍ଚରେ ଭାରତୀୟ ରେଳବାଇର କ୍ରୀଡ଼ାବିତ୍‌ମାନେ ଦେଶ ପାଇଁ ଗୌରବ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ରେଳବାଇ ଏ କ୍ଷେତ୍ରରେ ଏକ ରେକର୍ଡ କରିଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଏସୀୟ କ୍ରୀଡ଼ା କିମ୍ବା ଅଲିମ୍ପିକ୍ସ, ଭାରତୀୟ ରେଳବାଇର କ୍ରୀଡ଼ାବିତ୍‌ମାନେ ଭାରତର ପ୍ରଦର୍ଶନରେ ବ୍ୟାପକ ଯୋଗଦାନ ଦେଇଥାନ୍ତି।

ଭାରତୀୟ ରେଳବାଇ ସୃଷ୍ଟି କରିଥିବା ତାରକା ଭାରୋତ୍ତୋଳନକାରୀମାନଙ୍କ ମଧ୍ୟରେ ରହିଛନ୍ତି ଏସ. ମୀରାବାଇ ଚାନୁ, ଯିଏକି ଟୋକିଓ ଅଲିମ୍ପିକ୍ସ ଦେଶ ପାଇଁ ରୌପ୍ୟ ପଦକ ଆଣିଥିଲେ। ସେ ଅଲିମ୍ପିକ୍ସରେ ରୌପ୍ୟ ଜିତିବାରେ ଥିଲେ ଭାରତର ପ୍ରଥମ ମହିଳା ଭାରୋତ୍ତୋଳନକାରୀ। ଅର୍ଜ୍ଜୁନ ପୁରସ୍କାର ବିଜେତା ସତୀଶ ଶିବଲିଙ୍ଗ, ରେଣୁ ବାଳା, ସୁଶ୍ରୀ ସଞ୍ଜିତା ଚାନୁ ପ୍ରମୁଖ ରେଳବାଇ ଠାରୁ ପ୍ରୋତ୍ସାହନ ପାଇ ଭାରୋତ୍ତୋଳନ କ୍ଷେତ୍ରରେ ଶୀର୍ଷସ୍ତରୀୟ ସଫଳତା ହାସଲ କରିପାରିଛନ୍ତି।

 

Leave A Reply

Your email address will not be published.