ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରଥ ଉପରେ ମୋବାଇଲ ଫୋନ ବ୍ୟବହାର କରାଯିବ ନାହିଁ। ଏଥିସହ କେହି ରଥ ଉପରେ ସେଲଫି ମଧ୍ୟ ନେଇପାରିବେ ନାହିଁ। ଆମର ଯେଉଁ ବ୍ୟବସ୍ଥାବଳି ଅଛି ସେଥିରେ ଏହା ସ୍ପଷ୍ଟ ଉଲ୍ଲେଖ କରାଯାଇଛି। ଶ୍ରୀମନ୍ଦିରର ନୂଆ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଆଜି ଦାୟିତ୍ୱ ନେବା ପରେ ଏଭଳି କିଛି କଡ଼ା ଆଭିମୁଖ୍ୟ ଗଣମାଧ୍ୟମ ଆଗରେ ରଖିଛନ୍ତି।
ସେ କହିଛନ୍ତି, ଯଦି କୌଣସି ସେବାୟତ ରଥ ଉପରକୁ ମୋବାଇଲ ନେଇ ଯାଆନ୍ତି, ତେବେ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରଥ ଉପରେ ରହି କୌଣସି ସେବାୟତ ଫଟୋ କିମ୍ବା ଭିଡିଓ କରିପାରିବେ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି କି, ବାହୁଡା ଯାତ୍ରା ବେଳେ ଯଦି ଏଭଳି କୌଣସି ଅଣସେବାୟତଙ୍କୁ ରଥ ଉପରେ ଦେଖିବାକୁ ମିଳେ ତେବେ ସେମାନଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
କେବଳ ସେତିକି ନୁହେଁ, ରଥଯାତ୍ରା ବେଳେ ରଥ ଉପରେ ଆବଶ୍ୟକତା ଠାରୁ ଅଧିକ ସେବାୟତ ଚଢ଼ିଥିବା ନଜରକୁ ଆସିଥିଲା। ଏହାକୁ ନେଇ ମୁଖ୍ୟ ପ୍ରଶାସକ କହିଛନ୍ତି, ଏବେ ରଥ ଉପରେ ସୀମିତ ସେବାୟତ ଚଢ଼ିବାକୁ ଅନୁମତି ଦିଆଯିବ। ଯାହାର ସେବା ନାହିଁ, ସେମାନଙ୍କୁ ରଥ ଉପରେ ଚଢ଼ିବାକୁ ଅନୁମତି ଦିଆଯିବ ନାହିଁ।