ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିବାହ ସାରି ଫେରୁଥିଲେ। ହେଲେ ପହଞ୍ଚି ପାରିଲେନି ଘରେ। ବାଟରେ ଶେଷ ହୋଇଗଲା ବିବାହର ଖୁସି। ଦୁର୍ଘଟଣାରେ ପ୍ରାଣ ହରାଇଲେ ବର-କନ୍ୟା ସମେତ ପରିବାରର ୭ ସଦସ୍ୟ। ଶୁକ୍ରବାର ବିଳମ୍ବିତ ରାତିରେ ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଉତ୍ତରପ୍ରଦେଶର ବିଜନୌର ଅଞ୍ଚଳରେ।
ଗୁରୁତର ଆହତ ହୋଇଥିବା ଦୁଇ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବିଜନୌର ଜିଲା ଧାମପୁର ଥାନା ଅନ୍ତର୍ଗତ ହରିଦ୍ଵାର-କାଶୀପୁର ଜାତୀୟ ରାଜପଥର ଅଗ୍ନିଶମ କେନ୍ଦ୍ର ନିକଟରେ ଶୁକ୍ରବାର ରାତି ପ୍ରାୟ ୨ଟାରେ ଏହି ଦୁର୍ଘଟଣା ଘଟିଛି। ପୂରା ପରିବାର ଝାଡ଼ଖଣ୍ଡରୁ ନିଜ ପୁଅ ବିବାହ ସାରି କନିଆ ଧରି ଫେରୁଥିଲେ। ପ୍ରଥମେ ସେମାନେ ଝାଡ଼ଖଣ୍ଡରୁ ଟ୍ରେନ୍ ଯୋଗେ ମୁରାଦାବାଦରେ ପହଞ୍ଚିଥିଲେ। ଏହାପରେ ଏକ ଅଟୋ ଯୋଗେ ଷ୍ଟେଶନରୁ ସେମାନେ ନିଜ ଗାଁ ତିବଡ଼ୀ ଫେରୁଥିଲେ। ଅଟୋଟି ଡେରାଡୁନ- ନୈନିତାଲ ଜାତୀୟ ରାଜପଥରେ ଯାଉଥିବା ବେଳେ ପଛରୁ ଦ୍ରୁତ ଗତିରେ ଆସୁଥିବା ଏକ କାର୍ ପିଟିଥିଲା।
ଫଳରେ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲା। ଅଟୋ ଚାଳକଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ତାଙ୍କ ମୃତ୍ୟୁ ଘଟିଛି। ମୃତକ ମଧ୍ୟରେ ୪ ପୁରୁଷ, ୨ ମହିଳା ଓ ଜଣେ ନାବାଳିକା ଅଛନ୍ତି। ଏହି ଘଟଣାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କର ଦୁଃଖ ପ୍ରକାଶ କରି ଆହତମାନଙ୍କ ଶୀଘ୍ର ଅରୋଗ୍ୟ କାମନା କରିଛନ୍ତି। ସେ ଏହି ଘଟଣାରେ ଜିଲ୍ଲା ଅଧିକାରୀମାନଙ୍କୁ ଆବଶ୍ୟକୀୟ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।