ମଣିପୁରରେ ମତଦାନ ବେଳେ ଫୁଟିଲା ଗୁଳି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ୨୦୨୪ ଲୋକସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଥିବା ବେଳେ ମଣିପୁରର ମୋଇରାଙ୍ଗ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଥିବା ଥାମନାପୋକପିରେ ଏକ ପୁଲିଂ ବୁଥ୍‌ରେ ଫୁଟିଛି ଗୁଳି। ଦଳେ ଦୁର୍ବୃତ୍ତ ସେଠାରେ ଏକାଧିକ ରାଉଣ୍ଡ ଗୁଳି ଫୁଟାଇଥିଲେ। ତେବେ ଏଥିରେ କେହି ହତାହତ ହୋଇନାହାନ୍ତି। ଶୁକ୍ରବାର ଦିନ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଆରମ୍ଭ ହୋଇଥିବା ବେଳେ ଏହି ଗୁଳି ବିନିମୟ ଭୋଟରଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ଭାଇରାଲ ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ଗୁଳି ବିନିମୟ ମଧ୍ୟରେ ଲୋକମାନେ ମତଦାନ ବୁଥରୁ ଦୌଡ଼ିକି ବାହାରକୁ ପଳାଉଛନ୍ତି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଶୁକ୍ରବାର ଦିନ ମଣିପୁର ଲୋକସଭା ଆସନ ଏବଂ ବାହ୍ୟ ମଣିପୁରର କିଛି ଅଂଶରେ ମତଦାନ ହୋଇଥିଲା।

ମଣିପୁରରେ ଦୁଇଟି ଲୋକସଭା ଆସନ ଅଛି। ଆଜି ଉଭୟ ଇନର ମଣିପୁର ଲୋକସଭା ଆସନ ଓ ଆଉଟର ମଣିପୁର ଲୋକସଭା ଆସନ ପାଇଁ ଭୋଟ୍ ଗ୍ରହଣ କରାଯାଉଛି। ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏହା ସତ୍ତ୍ୱେ କିଛି ସ୍ଥାନରେ ଛୋଟମୋଟ ଘଟଣା ଘଟିଛି। ଇନର ମଣିପୁର ଲୋକସଭା ନିର୍ବାଚନ ମଣ୍ଡଳୀର ଥୋଙ୍ଗଜୁ ବିଧାନସଭା ନିର୍ବାଚନ ମଣ୍ତଳୀରେ ସ୍ଥାନୀୟ ଲୋକ ଓ କିଛି ଦୁର୍ବୃତ୍ତଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ଦେଖିବାକୁ ମିଳିଛି। ତେବେ ଏସବୁ ଘଟଣା ଯୋଗୁ ଭୋଟ୍‌ ଗ୍ରହଣ ବାଧାପ୍ରାପ୍ତ ହୋଇ ନଥିବା ଜଣାପଡ଼ିଛି।

ବର୍ଷେ ହେଲାଣି ଆଦିବାସୀ ଓ ଅଣଆଦିବାସୀଙ୍କ ମଧ୍ୟରେ ସଂଘର୍ଷ ଯୋଗୁ ଚର୍ଚ୍ଚାରେ ଅଛି ମଣିପୁର। ଅବଶ୍ୟ ଏବେ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ସୂଚନାଯୋଗ୍ୟ, ଆଜି ପ୍ରଥମ ପର୍ଯ୍ୟାୟରେ ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ଟି ଲୋକସଭା ଆସନ ପାଇଁ ଭଟ୍‌ ଗ୍ରହଣ ହେଉଛି। ମଣିପୁର ଭଳି ପଶ୍ଚିମବଙ୍ଗର କିଛି ସ୍ଥାନରେ ହିଂସା ଦେଖିବାକୁ ମିଳିଛି। କୁଚ୍ ବିହାର ଜିଲ୍ଲାର ସୀତଲକୁଚୀରେ ତୃଣମୂଳ କଂଗ୍ରେସ ଓ ବିଜେପି ସମର୍ଥକ ହାତାହାତି ହୋଇଥିଲେ।

Leave A Reply

Your email address will not be published.