ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଓଲିଉଡ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଗୁମର ଖୋଲିଲେ ପତ୍ନୀ ଶ୍ରୀୟା ମିଶ୍ର । ମିଡିଆ ଆଗରେ ପ୍ରଥମ ଥର ମୁହଁ ଖୋଲିଲେ । ଶ୍ରୀୟା କହିଛନ୍ତି ନିର୍ଯାତନାର ଗୋଟି ଗୋଟି କଥା । କାହିଁକି, କେବେଠାରୁ ଓ କିଭଳି ନିର୍ଯାତନା ଦିଆଯାଉଥିବା ଖୁଲାସା କରିଛନ୍ତି ଶ୍ରୀୟା । ହ୍ୟୁମାନ ମଦ ପିଇ ତାଙ୍କୁ ପ୍ରବଳ ମାଡ଼ ମାରନ୍ତି । ଶାରୀରିକ ଓ ମାନିସିକ ନିର୍ଯାତନା ଦେଉଥିଲେ । ଶାଶୁ ତାଙ୍କୁ କୌଣସି ଶାରୀରିକ ନିର୍ଯାତନା ଦେଇ ନାହାନ୍ତି । କେବଳ ହ୍ୟୁମାନ ଦେଇଛନ୍ତି । ତାଙ୍କର ହାତ, ଗୋଡ଼ ଓ ମୁହଁକୁ ମାଡ଼ ମାରିଛନ୍ତି ହ୍ୟୁମାନ । ଅନେକ ସ୍ଥାନରେ ମାଡ଼ ମାରିବା ଚିହ୍ନ ରହିଛି । ମଦ୍ୟପାନ ପାଇଁ ବାରଣ କରିବାରୁ ମାରପିଟ କରୁଥିଲେ ହ୍ୟୁମାନ ।
ଘରେ ଯେଉଁଠି ମଦ ରଖୁଥିଲେ ତାକୁ ଚାବି ପକାଇବାରୁ ମାଡ଼ ମାରୁଥିବା କହିଛନ୍ତି ଶ୍ରୀୟା । ଝିଅ ଜନ୍ମ ହେବା ପରେ ନିର୍ଯାତନା ଆରମ୍ଭ ହୋଇଥିଲା । ସ୍ୱାମୀଙ୍କ ନିର୍ଯାତନା ଅସହ୍ୟ ହେବାରୁ ଥାନାର ଦ୍ୱାରସ୍ଥ ହେଲି ବୋଲି କହିଛନ୍ତି ଶ୍ରୀୟା । ହ୍ୟୁମାନ ଝିଅର କୌଣସି ଦାୟିତ୍ୱ ନେଉ ନଥିଲେ । ଦାମ୍ପତ୍ୟ ଜୀବନରେ ଅଶାନ୍ତିର କାରଣ ଜଣେ ଥାର୍ଡ ପର୍ସନ ବୋଲି ଖୁଲାସା କରିଛନ୍ତି ଶ୍ରୀୟା । ତେବେ କିଏ ସେହି ଥାର୍ଡ ପର୍ସନ ? ତାଙ୍କ ନାଁ କି ତାଙ୍କ ସମ୍ପର୍କରେ କୌଣସି ସୂଚନା ଦେଇ ନାହାନ୍ତି । ଶ୍ରୀୟା କହିଛନ୍ତି, ସେ ବୁଝାମଣା ପାଇଁ ପ୍ରସ୍ତୁତ ଅଛନ୍ତି । ସଂସାର ବସିଯାଉ ବୋଲି ଚାହୁଁଛନ୍ତି । କିନ୍ତୁ ହ୍ୟୁମାନଙ୍କ ପରିବାର ଚାହୁଁ ନଥିବା କହିଛନ୍ତି ଶ୍ରୀୟା । ଆଗକୁ ପତି-ପତ୍ନୀ ବିବାଦ କି ମୋଡ଼ ନେବା ତାଉପରେ ସମସ୍ତଙ୍କର ନଜର ରହିଛି ।