ହାଥରସ୍‍ ଘଟଣାରେ ଆସିଲା ଏସଆଇଟି ରିପୋର୍ଟ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଉତ୍ତର ପ୍ରଦେଶର ହାଥରସରେ ଆୟୋଜିତ ସତସଙ୍ଗରେ ଘଟିଥିବା ଦଳାଚକଟା ଘଟଣାରେ ଆସିଛି SIT ରିପୋର୍ଟ। SIT ନିଜ ୩ଶହ ପୃଷ୍ଠାର ରିପୋର୍ଟ ଦାଖଲ କରିଛି। ଭୋଲେ ବାବାଙ୍କ ସତସଙ୍ଗରେ ଦଳାଚକଟା ହୋଇ ୧୨୩ଲୋକଙ୍କ ଅକାଳରେ ଜୀବନ ଯାଇଥିଲା । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ ତଦନ୍ତ କରୁଥିବା ଏସଆଇଟି ରିପୋର୍ଟ ଦାଖଲ କରିଛି । SIT ନିଜ ୩ଶହ ପୃଷ୍ଠାର ରିପୋର୍ଟରେ ୧୧୯ ଜଣଙ୍କ ବୟାନ ରେକର୍ଡ କରିଛି।

ଏଥିରେ ହାଥରସର ଡିଏମ୍‌, ଏସ୍‌ପି, ସତସଙ୍ଗ ଅନୁମତି ଦେଇଥିବା ଏସ୍‌ଡିଏମ୍‌, ସତସଙ୍ଗରେ ମୁତୟନ ପୁଲିସ୍‌ କର୍ମୀଙ୍କ ବୟାନ ରେକର୍ଡ କରାଯାଇଛି। ଏହାକୁ ବାଦ ଦେଲେ ମୃତକଙ୍କ ପରିବାରବର୍ଗ ଓ ଗୁରୁତର ହୋଇଥିବା ଶ୍ରଦ୍ଧାଳୁଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି। ଏହି ସତସଙ୍ଗ ନିମନ୍ତେ ୮୦ ହଜାର ଲୋକଙ୍କ ସମାଗମ ନିମନ୍ତେ ଆୟୋଜକଙ୍କୁ ଅନୁମତି ମିଳିଥିଲା। ମାତ୍ର ଏଥିରେ ପ୍ରାୟ ୨ ଲକ୍ଷରୁ ଅଧିକ ଲୋକ ଏକତ୍ରିତ ହୋଇଥିଲେ। ଆୟୋଜକ କମିଟି ଏଥିନିମନ୍ତେ ପୂର୍ବ ପ୍ରସ୍ତୁତି କରି ନ ଥିବା ବେଳେ ଅତ୍ୟଧିକ ଭିଡ଼ ହେତୁ ପରିସ୍ଥିତି ଅସମ୍ଭାଳ ହୋଇଥିଲା।

ଏହାସତ୍ତ୍ୱେ ଘଟଣାସ୍ଥଳରେ ଉପସ୍ଥିତ ଅଧିକାରୀ ଓ ପୁଲିସ୍‌ କର୍ମୀ ଏହାକୁ ଗୁରୁତର ସହ ନେଇ ନ ଥିଲେ କି ଭିଡ଼କୁ ନିୟନ୍ତ୍ରଣ ପାଇଁ କୌଣସି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲେ ବୋଲି SIT ନିଜ ରିପୋର୍ଟରେ ଉଲ୍ଲେଖ କରିଛି। SIT ନିଜ ରିପୋର୍ଟ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିଛି। ସତସଙ୍ଗ ସ୍ଥଳରେ ସଠିକ୍‍ ବ୍ୟବସ୍ଥା କରାଯାଇନଥିବାରୁ ପ୍ରଶାସନକୁ ଦାୟୀ କରାଯାଇଛି । ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ରିପୋର୍ଟ ପ୍ରଦାନ କରିବ ଏସଆଇଟି । ରିପୋର୍ଟରେ ଯେଉଁମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ।

 

Leave A Reply

Your email address will not be published.